ଓଡ଼ିଶାଲାଇଭ୍ ବ୍ୟୁରୋ

ଢେଙ୍କାନାଳରେ ଶନିବାର ଦିନ ନିଆଳି ମେଣ୍ଢା ମୃତ୍ୟୁ ଘଟଣାର ପୁନରାବୃତ୍ତି ହୋଇଛି। ଗୋଟିଏ ରାତିରେ ଏକାଥରକେ ମରି ପଡ଼ିଛନ୍ତି ପ୍ରାୟ ୪୦ଟି ମେଣ୍ଢା। ସମସ୍ତଙ୍କ ବେକରେ ରହିଛି କ୍ଷତଚିହ୍ନ। ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ସୋଗରପଶି ପଞ୍ଚାୟତ ଅରଦା ଗାଁରେ। ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଗୁହାଳ ଭିତରେ ପଶି ମେଣ୍ଢାମାନଙ୍କୁ ମାରିଲା କିଏ?

ଅରଦା ଗାଁର ସାଧୁଚରଣ ରାଉତଙ୍କ ଗୁହାଳରେ ପଶି କୌଣସି ଜନ୍ତୁ ମେଣ୍ଢାମାନଙ୍କୁ ଶିକାର କରିଥିବା ଅନୁମାନ କରାଯାଉଛି। ଶନିବାର ସକାଳେ ସାଧୁଚରଣ ଗୁହାଳରେ ପଶିବା ପରେ ମେଣ୍ଡାଗୁଡ଼ିକ ମରିପଡ଼ିଥିବା ଦେଖିବାକୁ ପାଇଥିଲେ। ଅରଦା ଗାଁ ଜଙ୍ଗଲ ନିକଟରେ ଥିବାରୁ କୌଣସି ଜନ୍ତୁ ଆସି ଏହିଭଳି କାଣ୍ଡ ଘଟାଇଥିବା କିଛି ଗ୍ରାମବାସୀ କହିଛନ୍ତି।

କିନ୍ତୁ ଏକା ସାଙ୍ଗରେ ଏତେ ସଂଖ୍ୟାରେ ମେଣ୍ଢାମାନଙ୍କର ମୃତ୍ୟୁ ସାଧାରଣ କଥା ନୁହେଁ ବୋଲି ଆଉ କିଛି ଗ୍ରାମବାସୀ କହିଛନ୍ତି। ଏବେ ଗାଁରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି।

ଏଭଳି ଘଟଣା ଗାଁରେ ପୂର୍ବରୁ କେବେ ଘଟିନଥିବା ଗ୍ରାମବାସୀ କହିଛନ୍ତି। ଖବର ପାଇ ଜିଲ୍ଲା ପ୍ରାଣୀ ଚିକିତ୍ସା କେନ୍ଦ୍ରରୁ ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମେଣ୍ଢାମାନଙ୍କ ମୃତ୍ୟୁର କାରଣ ଖୋଜିବାକୁ ପ୍ରୟାସ କରୁଛନ୍ତି।

Tags: #SheepKilled #Dhenkanal #Death #Odisha

Comment