ଓଡ଼ିଶାଲାଇଭ୍ ବ୍ୟୁରୋ

ମୌସୁମୀ ପ୍ରଭାବରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଶୁକ୍ରବାର ରାତିରୁ ବର୍ଷା ଲାଗି ରହିଛି। ଏହାସହ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ରାଜ୍ୟରେ ବର୍ଷାର ମାତ୍ରାକୁ ଆହୁରି ବଢ଼ାଇଛି। ଶନିବାର ରାଜଧାନୀ ଭୁବନେଶ୍ଵରେ ବର୍ଷା ପାଇଁ କିଛି ଅଞ୍ଚଳରେ ରାସ୍ତାରେ ପାଣି ଚାଲୁଥିବାରୁ ଟ୍ରାଫିକ ସମସ୍ୟା ଦେଖାଯାଇଛି। ଆହୁରି ୫ ଦିନ ଯାଏଁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଏବେ ମୌସୁମୀର ନିମ୍ନ ଚାପ ରେଖାର ପୂର୍ବ ଭାଗ ସାଧାରଣ ଅବସ୍ଥାନ ତୁଳନାରେ ସାମାନ୍ୟ ଦକ୍ଷିଣରେ ରହିଛି। ଏହାଛଡ଼ା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସକ୍ରିୟ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏଁ ଲମ୍ବିଛି। ଏଥିପାଇଁ ମୌସୁମୀ ସକ୍ରିୟତା ବଢ଼ି ରାଜ୍ୟର ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବର୍ଷା ଲାଗିରହିଛି।

ଗତ ୨୪ ଘଣ୍ଟାରେ ସମଗ୍ର ଓଡ଼ିଶାରେ ୯.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୧୧.୯ ମିମି ତୁଳନାରେ ୨୧ ପ୍ରତିଶତ କମ ରହିଛି। ଓଡ଼ିଶାରେ ଶନିବାର ସକାଳ ୮ଟା ୩୦ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହାଛଡ଼ା ରାଜ୍ୟର ଅନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ପୁରୀରେ ୮୬.୬ ମିଲିମିଟର, ଢେଙ୍କାନାଳରେ ୭୦ ମିଲିମିଟର, ନୟାଗଡ଼ରେ ୪୩.୧ ମିଲିମିଟର, କଟକରେ ୪୧.୮ ମିଲିମିଟର ଏବଂ  ଭୁବନେଶ୍ଵରରେ ୩୫.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବଙ୍ଗୋପସାଗରରେ ସକ୍ରିୟ ଥିବା ଘୁର୍ଣ୍ଣିବଳୟ ଆଗାମୀ ୨ରୁ ୩ ଦିନ ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଯାଇ ପଶ୍ଚିମବଙ୍ଗ ଉପତ୍ୟାକା ଏବଂ ଝାଡ଼ଖଣ୍ଡ ମଧ୍ୟଦେଇ ଗତି କରିବ।

ସେହିପରି ଜୁଲାଇ ୧୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରେ ଏହା ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହା ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

Tags: #Monsoon #RainFall #LowPressure #IMD #Odisha

Comment