ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ୟୁନିଟ-୯ ବାଳିକା ହାଇସ୍କୁଲର ସେହି ଅଞ୍ଚଳର ହାଇସ୍କୁଲ ସହ ମିଶ୍ରଣ ପ୍ରତିବାଦରେ ଧାରଣାରେ ବସିଲେ ଛାତ୍ରୀ ଓ ଅଭିଭାବକ। ସୋମବାର ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଛାତ୍ରୀମାନେ ପାଠପଢ଼ା ବନ୍ଦ କରି ବିଦ୍ୟାଳୟ ଗେଟରେ ତାଲା ପକାଇଦେଇଛନ୍ତି। ସରକାର ନେଇଥିବା ନିଷ୍ପତ୍ତିକୁ ନବଦଳାଇଲେ ଧାରଣା ଜାରି ରହିବ ବୋଲି ଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ କହିଛନ୍ତି।

ଓଡ଼ିଶା ସରକାର ୟୁନିଟ୍‌-୯ ବାଳିକା ହାଇସ୍କୁଲକୁ ସବୁଦିନ ପାଇଁ ବନ୍ଦ କରି ଏହାକୁ ୟୁନିଟ-୯ ହାଇସ୍କୁଲ ସହ ମିଶାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ୟୁନିଟ୍‌-୯ ବାଳିକା ହାଇସ୍କୁଲ ଘରକୁ ଏବେ ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ହସ୍ତାନ୍ତର କରାଯିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ ବୋଲି ନିଷ୍ପତ୍ତି ହୋଇଛି।

୧୯୬୭ ମସିହାରୁ ଏ ଯାଏଁ ଚାଲିଥିବା ୟୁନିଟ-୯ ବାଳିକା ଉଚ୍ଚ ବିଦ୍ୟାଳୟରେ ଏବେ ୫୦୦ରୁ ଅଧିକ ଛାତ୍ରୀ ପଢ଼ୁଥିବାବେଳେ କାହିଁକି ଏହାକୁ ଅନ୍ୟ ସ୍କୁଲ ସହ ମିଶ୍ରଣ କରାଯିବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରୀ ଓ ଅଭିଭାବକ। ଅନ୍ୟ ବିଦ୍ୟାଳୟ ସହ ମିଶ୍ରଣ ହେଲେ ପିଲାଙ୍କ ପାଠପଢ଼ା ଉପରେ ପ୍ରଭାବ ପଡ଼ିବ ବୋଲି ଅଭିଭାବକମାନେ କହିଛନ୍ତି।

ଅନ୍ୟପଟେ ୟୁନିଟ୍‌-୯ ହାଇସ୍କୁଲ ସହ ପୂର୍ବରୁ ଦୁଇଟି ପ୍ରାଥମିକ ବିଦ୍ୟାଳୟକୁ ମିଶ୍ରଣ କରାଯାଇ ସାରିଛି। ସେଠାରେ ଏବେ ୭୫୨ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଆଗକୁ ବାଳିକା ହାଇସ୍କୁଲର ଛାତ୍ରୀମାନେ ଏଠାକୁ ଆସିଲେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୨୦୦ରୁ ଅଧିକ ହୋଇଯିବ। ଗୋଟିଏ କ୍ୟାମ୍ପସରେ ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ କିଭଳି ଗୁଣାତ୍ମକ ଶିକ୍ଷା ମିଳିବ ତାହାକୁ ନେଇ ଅଭିଭାବକମାନେ ପ୍ରଶ୍ନ ଉଠାଇଛନ୍ତି।

ସେହିପରି ଦଶମ ମାଟ୍ରିକ ପରୀକ୍ଷାରେ ୟୁନିଟ-୯ ବାଳିକା ହାଇସ୍କୁଲର ଛାତ୍ରୀମାନେ ଭଲ ପ୍ରଦର୍ଶନ କରୁଛନ୍ତି। ଏହି ସ୍କୁଲର ଅଧିକ ସଂଖ୍ୟକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିବାରେ ସକ୍ଷମ ହେଉଛନ୍ତି। ତେବେ ଆଗକୁ ଦୁଇ ସ୍କୁଲର ମିଶ୍ରଣ ହେଲେ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ କୁପ୍ରଭାବ ପଡ଼ିବ ବୋଲି ଅନେକ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି।

ତେବେ ସୋମବାର ଧାରଣା ସମୟରେ ଶିକ୍ଷା ବିଭାଗର ଅଧିକାରୀମାନେ ଆସି ଛାତ୍ରୀ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ। ଏହି ଘଟଣା ବିଷୟରେ ସରକାରଙ୍କୁ ଅବଗତ କରାଇବେ ବୋଲି ସେମାନେ କହିଥିଲେ। ଏହାପରେ ମଧ୍ୟ ଅଭିଭାବକମାନେ ବୁଝିବାକୁ ନାରାଜ ହୋଇଥିଲେ। ଏହି ସମୟରେ ଧାରଣାରେ ବସିଥିବା କେତେ ଜଣ ଛାତ୍ରୀ ବେହୋସ ମଧ୍ୟ ହୋଇଯାଇଥିଲେ।

Tags: #Unit-9GirlsHighSchool #GirlStudents #Education #SMEOdisha

Comment