ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଏବେ ଅଧିକାଂଶ ଅଞ୍ଚଳରେ ଜାରି ରହିଛି ମୌସୁମୀ ବର୍ଷା। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ରାଜ୍ୟରେ ମୌସୁମୀକୁ ଆହୁରି ସକ୍ରିୟ କରିଛି। ଆଗକୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିବ। ଗୁରୁବାର ବର୍ଷା ପାଇଁ ୬ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଓ ୧୧ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏନେଇ ଭୁବନେଶ୍ଵର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ବୁଧବାର ସକାଳୁ ଉପକୂଳ ସମେତ ଅଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳରେ ବର୍ଷା ଲାଗି ରହିଛି। କଟକ, ଯାଜପୁର, ଖୋର୍ଦ୍ଧା, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ ଆଦି ଜିଲ୍ଲାରେ ବୁଧବାର ରାତିରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୧୬.୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକଠାରୁ ୪୧ ପ୍ରତିଶତ ଅଧିକ ରହିଛି। ଏହି ସମୟରେ ମାଲକାନଗିରି ଜିଲ୍ଲାରେ ୧୪୮.୨ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ବର୍ଷା ଯୋଗୁଁ ମାଲକାନଗିରିର ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଅନ୍ୟପଟେ ମଙ୍ଗଳବାର ଓଡ଼ିଶାର ଅନ୍ୟ ଅଞ୍ଚଳ ମଧ୍ୟରେ ମାଲକାନଗିରିର ଚିତ୍ରକୋଣ୍ଡାରେ ୧୯୯ ମିଲିମିଟର, ମଥିଲିରେ ୭୯ ମିଲିମିଟର, ଢେଙ୍କାନାଳ ଜିଲ୍ଲାର ଭୁବନରେ ୫୮ ମିଲିମିଟର, ସମ୍ବଲପୁରରେ ୫୩.୨ ମିଲିମିଟର, କେନ୍ଦୁଝରରେ ୪୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ସେହିପରି ଆଗାମୀ ୨୪ ଘଣ୍ଟାରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ଜୁଲାଇ ୨୨ ତାରିଖ ଯାଏଁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

ଚଳିତ ମୌସୁମୀ ଋତୁରେ ଏ ଯାଏଁ ଓଡ଼ିଶାରେ ୩୪୬.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୪୦୫.୫ ମିଲିମିଟର ତୁଳନାରେ ୧୫ ପ୍ରତିଶତ କମ ରହିଛି। ଏହି ସମୟ ମଧ୍ୟରେ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ଏବଂ ନବରଙ୍ଗପୁର ଜିଲ୍ଲାରେ ସର୍ବନିମ୍ନ ବର୍ଷା ରେକର୍ଡ କରାଯାଇଛି।

Tags: #Monsoon #Rainfall #LowPressure #MCBBSR #Odisha

Comment