ଓଡ଼ିଶାଲାଇଭ୍ ବ୍ୟୁରୋ

  • କେନ୍ଦୁପତ୍ର ହିତାଧିକାରୀ ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟି ୨୩ ଲକ୍ଷ ଟଙ୍କାର ବୋନସ୍‌ ଓ ପ୍ରୋତ୍ସାହନ
  • ଉପକୃତ ହେବେ ୮ ଲକ୍ଷରୁ ଊର୍ଦ୍ଧ୍ଵ ହିତାଧିକାରୀ

ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ନିମନ୍ତେ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ୨୩ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। ଏହା ଦ୍ୱାରା ୮ ଲକ୍ଷରୁ ଊର୍ଦ୍ଧ୍ଵ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ।

୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍‌ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି ମୋଟ ୫୬ କୋଟି ୨୩ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯିବ। ଏହି ରାଶି ଜୁଲାଇ ମାସରେ ହିତାଧିକାରୀଙ୍କୁ ପ୍ରଦାନ କରାଯିବ।

୨୦୨୨ ଶସ୍ୟବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧,୫୦୦ ଟଙ୍କା ଲେଖାଏଁ ମୋଟ ୮୩ କୋଟି ୩୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା।

ସେହିପରି ୨୦୨୨ ଶସ୍ୟବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୧ ହଜାର ଟଙ୍କା ଆର୍ଥିକ ସହାୟତା, ପାଣି ବୋତଲ ପାଇଁ ୨୦୦ ଟଙ୍କା ଏବଂ ଚପଲ ପାଇଁ ୧୬୦ ଟଙ୍କା ଦିଆଯାଇଥିଲା। ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ୧,୩୬୦ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଏବଂ ସାମୟିକ କର୍ମଚାରୀଙ୍କୁ ୧,୫୦୦ ଟଙ୍କା ଲେଖାଏଁ ହିସାବରେ ମୋଟ ୧୧୧ କୋଟି ୨୧ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।

ତୃତୀୟ ପର୍ଯ୍ୟାୟ ସହାୟତା ରାଶିକୁ ମିଶାଇ ମୋଟ ସହାୟତା ପରିମାଣ ୨୫୦ କୋଟି ୭୮ ଲକ୍ଷ ଟଙ୍କା ହୋଇଛି। ଏହା ଗୋଟିଏ ଫସଲ ବର୍ଷରେ ସର୍ବକାଳୀନ ରେକର୍ଡ ବୋଲି କୁହାଯାଇଛି।

Tags: #KenduLeaf #Odisha #Assistance #OdishaGovt

LEAVE A REPLY

Please enter your comment!
Please enter your name here