ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ୨୦୨୩ ଡିସେମ୍ବର ମାସ ସୁଦ୍ଧା ଶେଷ ହେବ। ଏହି ପର୍ଯ୍ୟାୟରେ ରାଜ୍ୟରେ ବାକିଥିବା ଆଉ ୧ ହଜାର ୭୭୧ଟି ହାଇସ୍କୁଲର ରୂପାନ୍ତରଣ କରାଯିବ। ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ହାଇସ୍କୁଲଗୁଡ଼ିକର ଭିତ୍ତିଭୂମିର ବିକାଶ କରାଯାଇ ସେଠାରେ ଛାତ୍ରଛାତ୍ରୀଙ୍କୁ ନୂଆ ସୁବିଧା ସୁଯୋଗ ଯୋଗାଇ ଦିଆଯିବ। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ଚତୁର୍ଥ ପର୍ଯ୍ୟାୟ ବାବଦରେ ରାଜ୍ୟ ୫-ଟି ସଚିବ ଭି କେ ପାଣ୍ଡିଆନ ଗଞ୍ଜାମ, ବରଗଡ଼, କେନ୍ଦୁଝର, କଟକ, ମାଲକାନଗିର, ପୁରୀ, ଢେଙ୍କାନାଳ ଆଦି ଜିଲ୍ଲାର ବିଭିନ୍ନ ହାଇସ୍କୁଲର ପ୍ରଧାନଶିକ୍ଷକ, ଛାତ୍ରଛାତ୍ରୀ ତଥା ଅନ୍ୟମାନଙ୍କ ଆଲୋଚନା କରିଥିଲେ। ଏହି ସମୟରେ ସେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲରେ ମିଳୁଥିବା ବିଭିନ୍ନ ସୁବିଧା ବିଷୟରେ ପଚାରି ବୁଝିଥିଲେ।

ଏହି ହାଇସ୍କୁଲ ରୂପାନ୍ତରଣରେ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ, ଅଧୁନିକ ବିଜ୍ଞାନାଗାର, ଇ-ଲାଇବ୍ରେରୀ ଆଦି ନିର୍ମାଣ କରାଯାଉଛି। ସ୍କୁଲର ଭିତ୍ତିଭୂମିର ବିକାଶ ଛାତ୍ରଛାତ୍ରୀ ତଥା ଅଭିବାବକଙ୍କ ମଧ୍ୟରେ ଅନେକ ଉତ୍ସାହ ସୃଷ୍ଟି କରିଛି।

ମୋ ସ୍କୁଲ ଯୋଜନା ଅନ୍ତର୍ଗତ ଏହି ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମର ତିନୋଟି ପର୍ଯ୍ୟାୟରେ ଓଡ଼ିଶାରେ ୬ ହଜାର ୮୮୩ଟି ହାଇସ୍କୁଲ ରୂପାନ୍ତର କାମ ସରିଛି। ଏବେ ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟ ସରକାର ବାକିଥିବା ସ୍କୁଲ ସହ ଓଡ଼ିଶାର ସମସ୍ତ ୮ ହଜାର ୬୫୪ଟି ସରକାରୀ ହାଇସ୍କୁଲର ରୂପାନ୍ତରଣ କାମ ଶେଷ କରିବାକୁ ଯୋଜନା ରଖିଛନ୍ତି।

Tags: #5TSchoolTransformation #SchoolInfrastructureDevelopment #MoSchool #Education #Odisha

 

Comment