ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଦେଢ଼ ମାସ ପରେ ବି ୪୧ ଜଣ ମୃତ ଯାତ୍ରୀଙ୍କ ପରିଚୟ ମିଳିପାରିନି। ଏହି ଟ୍ରେନ ଟ୍ରାଜେଡିରେ ପ୍ରାଣ ହରାଇଥିବା ୨୫୪ ଜଣ ଯାତ୍ରୀଙ୍କ ମୃତଦେହ ଚିହ୍ନଟ କରାଯାଇ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଚିହ୍ନଟ ହୋଇନଥିବା ମୃତଦେହଗୁଡ଼ିକ ଏବେ ଭୁବନେଶ୍ଵର ଏମ୍ସରେ ରହିଛି। ଏନେଇ ରାଜ୍ୟସଭାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

ରେଳମନ୍ତ୍ରୀଙ୍କ ସୂଚନା ଅନୁସାରେ ବାହାନଗା ଟ୍ରେନ ଟ୍ରାଜେଡିରେ ଗୁରୁତର ଆହତ ହୋଇଥିବା ୧୭୬ ଯାତ୍ରୀ ଓ ଅଳ୍ପ ଆହତ ହୋଇଥିବା ୪୫୧ ଜଣ ଯାତ୍ରୀଙ୍କୁ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି। ସେହିପରି ଚିହ୍ନଟ ହୋଇନଥିବା ଶବଗୁଡ଼ିକର ଡିଏନଏ ନମୁନାକୁ ନୂଆଦିଲ୍ଲୀ ସ୍ଥିତ ସିଏଫଏସଏଲ ଲ୍ୟାବରେ ପରୀକ୍ଷା କରାଯାଇଛି।

ଅନ୍ୟପଟେ ରେଳ ବିଭାଗ ପକ୍ଷରୁ ମୃତକଙ୍କ ପରିବାର ବର୍ଗଙ୍କୁ ୨୯ କୋଟି ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା, ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି।

ଏହା ପୂର୍ବରୁ ବାହାନଗା ରେଳ ଦୁର୍ଘଟଣାର ଚିହ୍ନଟ ହୋଇଥିବା ଅନ୍ୟ ରାଜ୍ୟର କିଛି ମୃତ ଯାତ୍ରୀଙ୍କର ଭୁବନେଶ୍ଵରରେ ହିଁ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ମୃତ ଦେହକୁ ସେମାନଙ୍କ ରାଜ୍ୟକୁ ନେବାରେ ଅସୁବିଧା ହେଉଥିବାରୁ ପରିବାର ଲୋକଙ୍କ ସହମତିରେ ଭୁବନେଶ୍ଵର ସ୍ଥିତ ସତ୍ୟନଗର ଶ୍ମଶାନରେ ଶବଦାହ କରାଯାଇଥିଲା।

ବାଲେଶ୍ଵର ଜିଲ୍ଲା ବାହାନଗା ବଜାର ଷ୍ଟେସନ ନିକଟରେ ଜୁନ୍ ୨ ତାରିଖ ସନ୍ଧ୍ୟାରେ ଭୟାନକ ଟ୍ରେନ୍ ଦୁର୍ଘଟଣା ହୋଇଥିଲା। ମୋଟ ୩ଟି ଟ୍ରେନର ଏହି ଦୁର୍ଘଟଣାରେ ୨୯୫ ଜଣ ଯାତ୍ରୀଙ୍କ ଅଭାବନୀୟ ମୃତ୍ୟୁ ଘଟିଥିଲା। ହଜାରରୁ ଅଧିକ ଯାତ୍ରୀ ଏଥିରେ ଆହତ ହୋଇଥିଲେ।

ରେଲଓ୍ଵେ ସେଫ୍ଟି କମିଶନର ତଦନ୍ତ ପରେ ସିଗନାଲ୍ ଜନିତ ତ୍ରୁଟି ଯୋଗୁଁ ଏହି ଟ୍ରେନ ଟ୍ରାଜେଡି ହୋଇଥିଲା ବୋଲି ଜଣାପଡ଼ିଥିଲା। ଏହାପରେ ସିବିଆଇ ହାତକୁ ଏହାର ତଦନ୍ତ ଦାୟିତ୍ଵ ଯାଇଥିଲା। ଏବେ ସିବିଆଇ ଏହି ମାମଲାରେ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହାସହ ରେଳବାଇ ପକ୍ଷରୁ ୭ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା।

Tags: #BahanagaTrainTragedy #DeathToll #DeadbodyIdentification #AIIMS

LEAVE A REPLY

Please enter your comment!
Please enter your name here