ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ କର୍କଟ ରୋଗୀଙ୍କ ଚିକିତ୍ସାକୁ ଆହୁରି ଉନ୍ନତ କରିବା ପାଇଁ ରାଜ୍ୟ କ୍ୟାବିନେଟ ପକ୍ଷରୁ ୧ ହଜାର ୧ କୋଟି ୧୪ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି। ଏହି ଅର୍ଥରେ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ୧୧ଟି ସାମୂହିକ କର୍କଟ ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯିବ। କର୍କଟ ଚିକିତ୍ସା ପାଇଁ ଆବଶ୍ୟକୀୟ ସବୁ ଉନ୍ନତମାନର ସେବା ଏଠାରେ ଉପଲବ୍ଧ ହେବ।

ଶୁକ୍ରବାର ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକର ନିଷ୍ପତ୍ତି ଅନୁସାରେ ବରଗଡ଼ ମୁଖ୍ୟ ଚିକିତ୍ସାଳୟ, ବୁର୍ଲା ମେଡିକାଲ କଲେଜ, ଏମକେସିଜି ବ୍ରହ୍ମପୁର, ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କୋରାପୁଟ, ଭବାନୀପାଟଣା ମେଡିକାଲ କଲେଜ, ପିଆଏମ୍ ମେଡିକାଲ ବାରିପଦା, ଫକୀରମୋହନ ମେଡିକାଲ କଲେଜ ବାଲେଶ୍ୱର, ଧରଣୀଧର ମେଡିକାଲ କଲେଜ କେନ୍ଦୁଝର, ତାଳଚେର ସରକାରୀ ହସ୍ପିଟାଲ ଓ କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନେଶ୍ୱରରେ ଏହି ସବୁ କର୍କଟ ଚିକିତ୍ସା ୟୁନିଟ୍ ନିର୍ମାଣ ହେବ।

ଏହି ସବୁ କର୍କଟ ଚିକିତ୍ସା କେନ୍ଦ୍ରରେ ରେଡିଓଥେରାପି, ବ୍ରାକିଥେରାପି, ହିଷ୍ଟୋପାଥୋଲଜି, କର୍କଟ ଶଲ୍ୟ ଚିକିତ୍ସା, କେମୋଥେରାପି ଏବଂ ପାଲିଏଟିଭ୍ କେୟାର ସେବାର ସୁବିଧା ମିଳିବ। ପ୍ରତ୍ୟେକ କେନ୍ଦ୍ରରେ କର୍କଟ ରୋଗୀଙ୍କ ପାଇଁ ୫୦ ରୁ ୧୦୦ଟି ବେଡ୍ ରହିବ। ଏହାକୁ ଭବିଷ୍ୟତରେ ଆହୁରି ମଧ୍ୟ ବଢ଼ାଯାଇ ପାରିବ।

ସେହିପରି ସବୁ କର୍କଟ ଚିକିତ୍ସା କେନ୍ଦ୍ରରେ ଅପରେସନ୍ ଥିଏଟର, ଆଇସିୟୁ ସ୍ଥାପନ କରାଯିବ। ଏହି ସବୁ ୟୁନିଟ ପାଇଁ ଆଗକୁ ନିୟମିତ କ୍ୟାଡର ଅଧୀନରେ ସ୍ପେଶାଲିଷ୍ଟ ଡାକ୍ତର, ନର୍ସ ଓ ଅନ୍ୟ ବୈଷୟିକ କର୍ମଚାରୀଙ୍କୁ ନିଯୁକ୍ତ କରାଯିବ।

ଏହି ସାମୁହିକ କର୍କଟ ଚିକିତ୍ସା କେନ୍ଦ୍ର ଦ୍ୱାରା କର୍କଟ ରୋଗୀଙ୍କୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ରାଜ୍ୟ ସରକାର ଯୋଜନା ରଖିଛନ୍ତି। ଏହାଫଳରେ ସେମାନଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ।

Tags: #CabinetMeeting #CancerCareUnit #CancerTreatment #Odisha

Comment