ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ (ଓଏସଏସସି) ପକ୍ଷରୁ ଜୁଲାଇ ୧୬ ତାରିଖରେ ହୋଇଥିବା ଜୁନିୟର ଇଞ୍ଜିନୟର (ସିଭିଲ) ମୁଖ୍ୟ ଲିଖିତ ପରୀକ୍ଷାକୁ ରଦ୍ଦ କରାଯାଇଛି। ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକକୁ ନେଇ ବାଲେଶ୍ଵର ଏସପି ସାଗରିକା ନାଥଙ୍କ ରିପୋର୍ଟ ଆଧାରରେ ଓଏସଏସସି ପରୀକ୍ଷାକୁ ରଦ୍ଦ କରିଛି। ଏଥିସହ ସେପ୍ଟେମ୍ବର ୩ ତାରିଖରେ ପୁଣିଥରେ ଏହି ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଓଏସଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ ଅଭିଯୋଗ ହେବାପରେ ବାଲେଶ୍ୱର ପୋଲିସ ପକ୍ଷରୁ ଜୁଲାଇ ୧୬ ତାରିଖ ରାତିରେ ଦୀଘାର ଏକ ହୋଟେଲରୁ ଗିରଫ ୯ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାପରେ ଆନ୍ତଃରାଜ୍ୟ ପ୍ରଶ୍ନପତ୍ର ଲିକ୍ ରାକେଟ ସମ୍ପର୍କରେ ଜଣାପଡ଼ିଥିଲା।

“ଗିରଫ ହୋଇଥିବା ଅଭିଯୁକ୍ତମାନେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକ କରିଥିବା ସ୍ଵୀକାର କରିଛନ୍ତି। ସେମାନେ ପ୍ରଶ୍ନପତ୍ର ପିଛା ପରୀକ୍ଷାର୍ଥୀଙ୍କଠାରୁ ୮ରୁ ୧୦ ଲକ୍ଷ ନେଉଥିଲେ। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ମଧ୍ୟପ୍ରଦେଶ ଓ ଦିଲ୍ଲୀରେ ସେମାନେ ଏହି ରାକେଟ ଚଳାଇଥିଲେ। ଏହି ରାକେଟର ମାଷ୍ଟରମାଇଣ୍ଡ ଚିହ୍ନଟ ହୋଇଛି। ତାକୁ ଧରିବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ”, କହିଛନ୍ତି ସାଗରିକା ନାଥ।

ଗତ ଜୁଲାଇ ୧୬ ତାରିଖରେ ପ୍ରଶ୍ନପତ୍ର ଲିକର ଅଭିଯୁକ୍ତମାନେ ଦୀଘାର ଏକ ହୋଟେଲରେ ଥିବା ଖବରପାଇ ବାଲେଶ୍ଵର ପୋଲିସର ୨୦ ଜଣିଆ ଟିମ ସେଠାରେ ଚଢ଼ଉ କରିଥିଲେ। ଚଢ଼ଉବେଳେ ଗୋଟିଏ ବସ୍‌, ୬ଟି ଚାରିଚକିଆ ଗାଡ଼ି, ୧୫ଟି ମୋବାଇଲ, କିଛି ପ୍ରଶ୍ନପତ୍ର କପି, ୩ଟି ବ୍ଲାଙ୍କ୍‌ ଚେକ୍ ସହ କିଛି ନିଯୁକ୍ତି ଆଶାୟୀଙ୍କ ସାର୍ଟିଫିକେଟ୍‌ ଜବତ କରାଯାଇଥିଲା। ପ୍ରଶ୍ନପତ୍ରଗୁଡ଼ିକ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ସହ ମେଳ ଖାଉଥିବା ଯାଞ୍ଚରୁ ଜଣାପଡ଼ିଥିଲା।

ଏହାପରେ ଅଭିଯୁକ୍ତମାନଙ୍କୁ ବାଲେଶ୍ଵର କୋର୍ଟରେ ହାଜର କରାଯାଇ, ସେମାନଙ୍କୁ ୩ ଦିନିଆ ରିମାଣ୍ଡରେ ନିଆଯାଇଥିଲା। ଏହି ସମୟରେ ପୋଲିସର ପଚରାଉଚରାବେଳେ ସେମାନେ ଜେଇ(ସିଭିଲ୍‌) ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ଲିକରେ ସାମିଲଥିବା ସ୍ଵୀକାର କରିଥିଲେ। ଏହାପରେ ବାଲେଶ୍ଵର ପୋଲିସ ପକ୍ଷରୁ ଘଟଣା ସମ୍ପର୍କରେ ଓଏସଏସସିକୁ ସୂଚନା ଦିଆଯାଇଥିଲା।

Tags: #OSSC #JE(civil)mainExam #Questionpaperleak #BalasorePolice #Odisha

 

Comment