ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ଅପେକ୍ଷା ପରେ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର। ସୋମବାର ସକାଳ ୭ ଟାରୁ କେବଳ ପୁରୀର ଭକ୍ତମାନେ ଏହି ଦ୍ୱାର ଦେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏଥିପାଇଁ ପଶ୍ଚିମ ଦ୍ୱାର ସମ୍ମୁଖରେ ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି। ପୁରୀବାସୀଙ୍କ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ପାଇଁ ଶ୍ରୀମନ୍ଦିର ସବ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ସୋମବାର ସକାଳେ ପୁରୀର ଭକ୍ତମାନେ ନିଜର ପରିଚୟ ପତ୍ର ଦେଖାଇ ପ୍ରବେଶ କରିଥିଲେ। ପଶ୍ଚିମ ଦ୍ଵାର ସମ୍ମୁଖରେ ସେଲଟର୍‌ ପ୍ୟାଭିଲିୟନରେ ଜୋତା ଓ ଅନ୍ୟ ଆସବାବ ରଖିବାର ବ୍ୟବସ୍ଥା କରାଯାଇଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପଶ୍ଚିମ ଦ୍ଵାର ନିକଟରେ ପୋଲିସ ମୁତୟନ ହୋଇଛନ୍ତି।

ଅନେକ ସମୟରୁ ଶ୍ରୀମନ୍ଦିରର ସବୁ ଦ୍ୱାର ଖୋଲିବା ପାଇଁ ଦାବି ହୋଇଆସୁଥିଲା। ସିଂହ ଦ୍ଵାର ସମ୍ମୁଖରେ ଭକ୍ତଙ୍କ ପ୍ରବଳ ଭିଡ଼ ହେଉଥିବାରୁ ପୁରୀବାସୀଙ୍କ ପାଇଁ ଅନ୍ୟ ଦ୍ୱାର ଦେଇ ଦର୍ଶନ ପାଇଁ ଦାବି କରାଯାଉଥିଲା। ଏହା ପୂର୍ବରୁ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀବାସୀଙ୍କ ଲାଗି ସୁବିଧାରେ ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ।

ଏହାପରେ ଜୁଲାଇ ୨୧ ତାରିଖରେ ହୋଇଥିବା ଛତିଶା ନିଯୋଗ ବୈଠକରେ ଏନେଇ ଆଲୋଚନା କରାଯାଇଥିଲା। ବୈଠକରେ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସବ କମିଟି ଗଢ଼ାଯାଇ ଏ ସମ୍ପର୍କରେ ନିଷ୍ପତ୍ତି ନେବାକୁ କୁହାଯାଇଥିଲା।

ରବିବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବସିଥିବା ସବ କମିଟି ବୈଠକରେ ପୁରୀବାସୀଙ୍କ ପାଇଁ ସୋମବାରରୁ ପଶ୍ଚିମ ଦ୍ୱାର ଦେଇ ଦର୍ଶନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତି ବାବଦରେ ପୁରୀ ପୋଲିସକୁ ମଧ୍ୟ କୁହାଯାଇଥିଲା।

ଏବେ କେବଳ ପୁରୀବାସୀ ପଶ୍ଚିମ ଦ୍ଵାର ଦେଇ ଶ୍ରୀମନ୍ଦିର ଦର୍ଶନ କରୁଥିବାବେଳେ ଆଗକୁ ଏହା ସବୁ ଭକ୍ତଙ୍କ ପାଇଁ ଖୋଲାଯିବ। ସେହିପରି ଶ୍ରୀମନ୍ଦିରର ଅନ୍ୟ ଦୁଇ ଦ୍ଵାର ଦେଇ ମଧ୍ୟ ଦର୍ଶନ ପାଇଁ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

Tags: #PuriSriMandir #LordJagannath #SJTAPuri #Odisha

 

Comment