ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଯୁବକ ଯୁବତୀଙ୍କର ଦକ୍ଷତା ବିକାଶ ନିମନ୍ତେ ସୁଯୋଗ ଆଣିଛି ଭୁବନେଶ୍ଵର ସ୍ଥିତ ୱାର୍ଲ୍ଡ ସ୍କିଲ ସେଣ୍ଟର ବା ବିଶ୍ଵ ଦକ୍ଷତା କେନ୍ଦ୍ର। ଏଠାରେ ଆଇଟିଆଇ ଓ ଡିପ୍ଲୋମା ପାସ୍ କରିଥିବା ପ୍ରାର୍ଥୀଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ମାନୁଫାକଚରିଂ ଏବଂ ସର୍ଭିସେସ ଆଦି ବିଭିନ୍ନ ବିଭାଗରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ।

ବିଶ୍ଵ ଦକ୍ଷତା କେନ୍ଦ୍ରରେ ପ୍ରାର୍ଥୀମାନଙ୍କୁ ଏକ ବର୍ଷ ପାଇଁ ପ୍ରଶିକ୍ଷଣ ଦିଆଯିବ। ଏହି ସମୟରେ ପ୍ରାର୍ଥୀମାନେ ବିଭିନ୍ନ କମ୍ପାନିରେ ପେଡ ଇଣ୍ଟର୍ଣ୍ଣସିପ କରିବାର ସୁଯୋଗ ମଧ୍ୟ ପାଇବେ।

୨୦୨୩ ସେପ୍ଟେମ୍ବର ମାସରୁ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ଏବେ ଆବେଦନ ଗ୍ରହଣ ଜାରି ରହିଛି। ଅଗଷ୍ଟ ୧୫ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ।

ଯଦି ଆପଣମାନେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ କେମିତି କରିବେ ଆବେଦନ।

ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବାକୁଥିବା ପାଠ୍ୟକ୍ରମ

  • ସ୍କୁଲ ଅଫ୍ ଇଞ୍ଜିନିୟରିଂ ପାଠ୍ୟକ୍ରମ
    • ମେକାଟ୍ରୋନିକ୍ସ
    • ଇଲେକ୍ଟ୍ରିକାଲ ଟେକ୍ନୋଲୋଜି
    • ମେକାନିକାଲ୍ ଓ ଇଲେକ୍ଟ୍ରିକାଲ୍ ସର୍ଭିସେସ୍
    • ଏୟାରକଣ୍ଡିସନିଂ ଓ ରେଫ୍ରିଜରେସନ
    • ଭର୍ଟିକାଲ ଟ୍ରାନ୍ସପୋର୍ଟେସନ
  • ଯୋଗ୍ୟତା
    • ପ୍ରାର୍ଥୀମାନେ ଯେକୌଣସି ସରକାରୀ ବ ବେସରକାରୀ ଶିକ୍ଷା ଅନୁଷ୍ଠାନରୁ ୨ ବର୍ଷିଆ ଆଇଟିଆଇ କିମ୍ବା ୩ ବର୍ଷିଆ ଡିପ୍ଲୋମା ପାସ କରିଥିବା ଆବଶ୍ୟକ
  • ସ୍କୁଲ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ
    • ହେୟାର ଫ୍ୟାସନ ଓ ଡିଜାଇନ
    • ବିୟୁଟି ୱେଲନେସ ଓ ସ୍ପା
  • ଯୋଗ୍ୟତା
    • ପ୍ରାର୍ଥୀମାନେ ଯେକୌଣସି ଶିକ୍ଷା ଅନୁଷ୍ଠାନରୁ ଯୁକ୍ତ ୨ କିମ୍ବା ଯେକୌଣସି କ୍ଷେତ୍ରରେ ଡିପ୍ଲୋମା ପାସ କରିଥିବା ଆବଶ୍ୟକ

କେମିତି କରିବେ ଆବେଦନ

  • ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟ୍ worldskillcenter.orgକୁ ଯାଆନ୍ତୁ
  • ୱେବସାଇଟ୍ ଭିତରେ ‘ଆଡମିଶନ’ ଅପ୍ସନକୁ କ୍ଲିକ୍ କରନ୍ତୁ
  • ଏହାପରେ ସେଠାରେ ଥିବା ‘ରେଜିଷ୍ଟର ନାଓ’ରେ କ୍ଲିକ୍ କରନ୍ତୁ
  • ରେଜିଷ୍ଟ୍ରେସନ ପରେ ‘ଲଗ ଇନ’ କରି ପ୍ରଶିକ୍ଷଣ ପାଇଁ ଫର୍ମ ପୂରଣ କରନ୍ତୁ
  • ଫର୍ମ ପୂରଣବେଳେ ଆବଶ୍ୟକୀୟ ସାର୍ଟିଫିକେଟ ଦାଖଲ କରନ୍ତୁ
  • ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନଙ୍କୁ ଦକ୍ଷତା କେନ୍ଦ୍ରରେ ନାମଲେଖା ସମୟରେ ନିଜର ସାର୍ଟିଫିକେଟଗୁଡ଼ିକୁ ଭେରିଫାଏ କରାଇବାକୁ ହେବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ଅଧିକ ସୂଚନା ୱାର୍ଲ୍ଡ ସ୍କିଲ ସେଣ୍ଟରର ୱେବସାଇଟରେ ଉପଲବ୍ଧ।

ଓଡ଼ିଶାର ଶିକ୍ଷିତ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ କରିବା ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୧ ମସିହାରେ ଭୁବନେଶ୍ୱରଠାରେ ‘ୱାର୍ଲ୍ଡ ସ୍କିଲ ସେଣ୍ଟର’ ସ୍ଥାପନ କରାଯାଇଥିଲା। ସିଙ୍ଗାପୁରସ୍ଥିତ ‘ଆଇଟିଇ ଏଜୁକେସନ ସର୍ଭିସେସ’ର ବୈଷୟିକ ସହଯୋଗରେ ଏହି ଅନ୍ତର୍ଜାତୀୟ ଦକ୍ଷତା ବିକାଶ କେନ୍ଦ୍ରର ଆରମ୍ଭ କରାଯାଇଥିଲା।

ୱାର୍ଲ୍ଡ ସ୍କିଲ ସେଣ୍ଟରରେ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ପାଇଁ ଅନ୍ତର୍ଜାତୀୟ ମାନର ବିଭିନ୍ନ ତାଲିମ ଦିଆଯାଏ। ଏଠାରେ ପ୍ରାର୍ଥୀମାନଙ୍କୁ ଅତ୍ୟାଧୁନିକ ତାଲିମ ସହ ଯୋଗାଯୋଗ ଓ ବ୍ୟକ୍ତିତ୍ୱ ବିକାଶର ଶିକ୍ଷା ଦିଆଯାଏ। ଏହା ସେମାନଙ୍କ ଦକ୍ଷତାକୁ ଆଉ ଏକ ଉଚ୍ଚତାକୁ ନେବା ପାଇଁ ସହାୟ ହେବ। ଏହାଛଡ଼ା ଦେଶ ବିଦେଶରେ ସେମାନଙ୍କ ନିଯୁକ୍ତି ସୁଯୋଗ ଆହୁରି ବ୍ୟାପକ ହୋଇପାରିବ।

Tags: #WorldSkillCenter #SkillDevlopmentProgramme #ITI&DiplomaStudents #Odisha

Comment