ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ମହାବଳ ବାଘଙ୍କ ସଂଖ୍ୟା ଏବେ ଦିନକୁ ଦିନ କମିବାରେ ଲାଗିଛି। ଭାରତରେ ବାଘଙ୍କ ସଂଖ୍ୟା ପ୍ରତିବର୍ଷ ବୃଦ୍ଧି ପାଉଥିବାବେଳେ ଓଡ଼ିଶାରେ ଏହାର ଓଲଟା ହେଉଛି। ଭାରତରେ ବାଘଙ୍କ ସଂଖ୍ୟା ଏବେ ୩ ହଜାର ୬୮୨ରେ ପହଞ୍ଚିଛି। ସେଥିରୁ ଓଡ଼ିଶାରେ ମାତ୍ର ୨୦ଟି ମହାବଳ ବାଘ ଅଛନ୍ତି। ଏନେଇ ଶନିବାର ଅନ୍ତର୍ଜାତୀୟ ବାଘ ଦିବସରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ଜାତୀୟ ବ୍ୟାଘ୍ର ଗଣନା ରିପୋର୍ଟ ୨୦୨୨ରୁ ସୂଚନା ମିଳିଛି।

ରିପୋର୍ଟ ଅନୁସାରେ ଓଡ଼ିଶାର ବିଭିନ୍ନ ଅଭୟାରଣ୍ୟରେ ୨୦୧୮ ମସିହାରେ ୨୮ଟି ବାଘ ଥିଲେ। ୨୦୨୨ରେ ମହାବଳଙ୍କ ସଂଖ୍ୟା ୨୦କୁ ଖସିଯାଇଛି। ଏହି ୪ ବର୍ଷ ଭିତରେ ଓଡ଼ିଶାରେ କେବଳ ଶିମିଳିପାଳ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବଢ଼ିଛି। ଏଠାରେ ୨୦୧୮ରେ ୮ଟି ମହାବଳ ବାଘ ଥିବାବେଳେ ବର୍ତ୍ତମାନ ଏହି ସଂଖ୍ୟା ୧୬ରେ ପହଞ୍ଚିଛି।

ଅନ୍ୟପଟେ ଶିମିଳିପାଳକୁ ଛାଡ଼ି ଦେଲେ ଓଡ଼ିଶାର ଅନ୍ୟ ସବୁ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବହୁତ କମି ଯାଇଛି। ସାତକୋଶିଆ ଅଭୟାରଣ୍ୟରେ ମହାବଳ ବଂଶ ସମ୍ପୂର୍ଣ୍ଣ ଭାବେ ଲୋପ ପାଇଛି। ଏହାକୁ ନେଇ ରାଜ୍ୟରେ ଏବେ ବାଘଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ତେବେ ଶିମିଳିପାଳରେ ବାଘଙ୍କ ସଂଖ୍ୟା ବଢ଼ିଥିଲେ ମଧ୍ୟ ରାଜ୍ୟ ପାଇଁ ଏହା ଆଖିଦୃଶିୟା ନୁହେଁ ବୋଲି ଅନେକ ବିଶେଷଜ୍ଞ ମତ ଦେଇଛନ୍ତି। କାରଣ ୨୦୦୬ ମସିହାରେ ଓଡ଼ିଶାରେ ୪୫ଟି ବାଘ ଥିବାବେଳେ ୨୦୧୮ ବାଘ ଗଣନାରେ ଏହି ସଂଖ୍ୟା ୨୮କୁ ଖସି ଆସିଥିଲା।

ବ୍ୟାଘ୍ର ଗଣନା ରିପୋର୍ଟ ୨୦୨୨ ଅନୁସାରେ ଭାରତରେ ମହାବଳ ବାଘଙ୍କ ସଂଖ୍ୟା ୩ ହଜାର ୬୮୨ରେ ପହଞ୍ଚିଛି। ୨୦୧୮ ବ୍ୟାଘ୍ର ଗଣନାରେ ଏହି ସଂଖ୍ୟା ୨ ହଜାର ୯୬୭ ଥିଲା। ଭାରତର ମଧ୍ୟପ୍ରଦେଶରେ ସର୍ବାଧିକ ୭୮୫ଟି ବାଘ ଅଛନ୍ତି।

ଭାରତର ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକରେ ୫୬୩ଟି, ଉତ୍ତରାଖଣ୍ଡରେ ୫୬୦ଟି, ମହାରାଷ୍ଟ୍ରରେ ୪୪୪ଟି ଏବଂ ତାମିଲନାଡୁରେ ୩୦୬ଟି ବାଘ ରହିଛନ୍ତି। ଦେଶର ଚାଲୁଥିବା ବ୍ୟାଘ୍ର ପ୍ରକଳ୍ପଗୁଡ଼ିକ ମଧ୍ୟରେ ଉତ୍ତରାଖଣ୍ଡର କର୍ବେଟ୍ ଜାତୀୟ ଉଦ୍ୟାନରେ ସର୍ବାଧିକ ୨୬୦ଟି ମହାବଳ ବାଘ ଅଛନ୍ତି।

Tags: #TigerCensus2022 #TigerProjects #NationalTigerConservationAuthority #Tigers #Odisha

Comment