ଓଡ଼ିଶାଲାଇଭ୍ ବ୍ୟୁରୋ

ମହରମ ପାଇଁ ସଜାଗ ହୋଇଛି ସମ୍ବଲପୁର। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସହରରେ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏଥର ମହରମ ଅବସରରେ ସହରରେ କୌଣସି ଶୋଭାଯାତ୍ରା କରିବା ପାଇଁ ଅନୁମତି ଦିଆଯାଇନାହିଁ। ଶାନ୍ତି ଶୃଙ୍ଖଳାର ସହ ପର୍ବ ପାଳନ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଲୋକଙ୍କୁ କୁହାଯାଇଛି।

ମହରମ ପାଇଁ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସମ୍ବଲପୁର ସହରରେ ପୋଲିସ ପକ୍ଷରୁ ୧୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସହରର ଧାନକଉଡ଼ା ଛକ, ସୁନାପାଲି, ଦଳେଇପଡ଼ା ଓ ଜିଲ୍ଲା ସ୍କୁଲ ଛକ ଆଦି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସେହିପରି ସହରର ସବୁ ଅଞ୍ଚଳରେ ନଜର ରଖିବା ପାଇଁ ପୋଲିସ ପକ୍ଷରୁ କଣ୍ଟ୍ରୋଲ ରୁମ କରାଯାଇଛି। ସମ୍ବଲପୁର ଏସପିଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ସହରରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି।

ଏହାପୂର୍ବରୁ ସମ୍ବଲପୁର ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମହରମ ପାଇଁ ଫ୍ଲାଗମାର୍ଚ୍ଚ କରାଯାଇଥିଲା। ସମ୍ବଲପୁରର ଧନକଉଡ଼ା ଛକଠାରୁ ଦଳେଇପଡ଼ାର ଟିଣବାଡ଼ି ଯାଏ ପୋଲିସ ଫ୍ଲାଗମାର୍ଚ୍ଚ କରିଥିଲା।

ଅନ୍ୟପଟେ ମହରମ ପୂର୍ବରୁ ଗତ ଜୁଲାଇ ୨୦ ତାରିଖରେ ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ବସିଥିଲା। ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମହରମ ଅବସରରେ ସହରରେ କୌଣସି ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା।

ସମ୍ବଲପୁରରେ ଗତ ଏପ୍ରିଲ ମାସରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ବ୍ୟାପକ ହିଂସା ଦେଖିବାକୁ ମିଳିଥିଲା। ହିଂସାରେ ୨ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଏହାସହ ଅନେକ ଗାଡ଼ି ଓ ଦୋକାନରେ ଉତ୍ୟକ୍ତ ଲୋକେ ନିଆଁ ଲଗାଇଦେଇଥିଲେ। ଏହାପରେ ସହରରେ କର୍ଫ୍ୟୁ ଲଗାଯିବା ସହ ଇଣ୍ଟରନେଟ ବ୍ୟାନ କରାଯାଇଥିଲା। ପ୍ରାୟ ମାସେ ପରେ ସହରର ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା।

Tags: #Sambalpur #Muharam #SecurityArrangements #SambalpurPolice #Odisha

 

Comment