ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ପ୍ରବଳ ବର୍ଷାରେ ଉବୁଟୁବୁ ହେଉଛି ବୌଦ୍ଧ ଜିଲ୍ଲା। ସୋମବାରଠାରୁ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ଯୋଗୁଁ ଅନେକ ଅଞ୍ଚଳରେ ଯାତାୟାତ ଠପ୍ ପଡ଼ିଯାଇଛି। ବନ୍ୟାରେ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ବୌଦ୍ଧରେ ବର୍ଷାର ପରିମାଣ ଅଧିକ ଥିବାରୁ ଜିଲ୍ଲାର ନଦୀଗୁଡ଼ିକରେ ବନ୍ୟାଜଳ ବୃଦ୍ଧି ପାଇଛି। ନଦୀର ପାଣି ବିଲ ଓ ରାସ୍ତା ଉପରକୁ ମାଡ଼ିଯାଇଛି। ନଦୀର ଜଳସ୍ତର ବଢ଼ିବା ଯୋଗୁଁ ବୌଦ୍ଧ ସହରର ଡ୍ରେନ ପାଣି ନିଷ୍କାସିତ ନହୋଇପାରି ଅନେକ ତଳିଆ ଅଞ୍ଚଳରେ ପଶିଯାଇଥିବା ଦେଖିବାକୁ ମିଳିଛି।

ବୌଦ୍ଧ ଜିଲ୍ଲାର କୃଷ୍ଣମୋହନପୁରଠାରେ ମହାନଦୀ ପାଣି ରାସ୍ତାର ୫ ଫୁଟ ପ୍ରବାହିତ ହେବା ଯୋଗୁଁ ହରଭଙ୍ଗା-ବୌଦ୍ଧ ମଧ୍ୟରେ ଯାତାୟାତ ଠପ୍  ହୋଇଯାଇଛି। ସେହିପରି ଜିଲ୍ଲାର ଘଣ୍ଟାପଡ଼ା ସ୍ଥିତ ରେକଡୋଲ ନାଳ ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଘଣ୍ଟାପଡ଼ା-କୁଲୁତାଜୋର ଅଞ୍ଚଳବାସୀଙ୍କ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଅନ୍ୟପଟେ ବୌଦ୍ଧ ସ୍ଥିତ ୧୧ କେଭି ବିଦ୍ୟୁତ୍ ସବ ଷ୍ଟେସନରେ ମହାନଦୀ ବନ୍ୟା ପାଣି ପଶିଯିବାରୁ ସହରର ଅଧିକାଂଶ ଅଞ୍ଚଳରେ ବିଦ୍ୟୁତ ସେବା ପ୍ରବାବିତ ହୋଇଛି। ସେହିପରି ବର୍ଷାରେ ଜିଲ୍ଲା ମତ୍ସ୍ୟ ବିଭାଗର ପୋଖରୀ ଭାଙ୍ଗି ଯିବାରୁ ଏହାର ପାଣି ରାସ୍ତାରେ ପ୍ରବାହିତ ହୋଇଥିଲା। ଏହାସହ ଲୋକେ ରାଜ ରାସ୍ତାରେ ମାଛ ଧରୁଥିବା ଦେଖିବାକୁ ମିଳିଥିଲା।

ଏବେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ସହରରୁ ବନ୍ୟାଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଅନେକ ସ୍ଥାନରେ ମୋଟର ଲଗାଯିବା ସହ କିଛି ଜାଗାରେ ଅସ୍ଥାୟୀ ନାଳ ଖୋଳାଯାଇ ପାଣି ବାହାର କରାଯାଉଛି।

Tags: #HeavyRainfall #FloodSituation #RoadBlock #BoudhDistrict #Odisha

 

Comment