ଓଡ଼ିଶାଲାଇଭ୍ ବ୍ୟୁରୋ

ସାରା ଓଡ଼ିଶାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଛି। ମହାନଦୀ, ବୈତରଣୀ ଭଳି ବଡ଼ ନଦୀରେ ଜଳ ବିପଦ ସଙ୍କେତ ପାର କରିଛି। ଏଥିପାଇଁ ନଦୀର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଆଗକୁ ବିଭିନ୍ନ ନଦୀର ତଳ ମଣ୍ଡକୁ ଅଧିକ ଜଳ ଆସିବାକୁ ଥିବାରୁ ବନ୍ୟା ପରିସ୍ଥିତ ଜଟିଳ ହେବାର ଆଶଙ୍କା କରାଯାଉଛି।

ବୁଧବାର କେନ୍ଦୁଝର ଜିଲ୍ଲାର ଅନନ୍ଦପୁର ଏବଂ ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଂକେତ ପାର କରିଥିବା ଦେଖିବାକୁ ମିଳିଥିଲା। ଆଖୁଆପଦାରେ ବିପଦ ସଂକେତ ୧୭.୮୩ ମିଟର ଥିବାବେଳେ ଜଳସ୍ତର ୧୯.୬୬ମିଟର ରହିଥିଲା। ସେହିପରି ଆନନ୍ଦପୁରରେ ବୈତରଣୀର ପାଣି ବିପଦ ସଂକେତରୁ ଅଧିକ ଉଚ୍ଚରେ ୪୦ ମିଟରରେ ପ୍ରବାହିତ ହେଉଛି।

ବୈତରଣୀରେ ପାଣି ବଢ଼ିବାରୁ ଭଦ୍ରକ ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ତିହିଡ଼ି ଓ ଚାନ୍ଦବାଲି ଆଦି ବ୍ଲକର ବିଭିନ୍ନ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସବୁ ବ୍ଲକର ବିଭିନ୍ନ ରାସ୍ତା ଉପରେ ପାଣି ଚାଲୁଥିବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛନ୍ନ ହୋଇଛି।

ସେହିପରି ଉପରମୁଣ୍ଡରେ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇଛି। ନଦୀର ତଳମୁଣ୍ଡକୁ ଏହି ଜଳ ପ୍ରବାହିତ ହେଉଥିବାରୁ ତଳ ମୁଣ୍ଡରେ ଥିବା ବିଭିନ୍ନ ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ହେବାର ଆଶଙ୍କା କରାଯାଉଛି।

ଓଡ଼ିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତିଙ୍କ ସୂଚନା ମୁତାବକ ବର୍ତ୍ତମାନ କଟକର ମୁଣ୍ଡଳୀ ବ୍ୟାରେଜ ଦେଇ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏଠାରେ ୯ ଲକ୍ଷ ୫୦ ହଜାର କ୍ୟୁସେକ ପାଣି ପ୍ରବାହିତ ହେବ।

ରାଜ୍ୟରେ ଉପୁଜିଥିବା ବନ୍ୟା ପରିସ୍ଥିତିକୁ ନେଇ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଓଡ଼ିଶା ସ୍ଵତନ୍ତ୍ର ରିଲିଫ କମିଶନର। ଏଥିରେ ସମ୍ଭାବ୍ୟ ବନ୍ୟାକୁ ନେଇ ଅନୁଗୁଳ, ନୟାଗଡ଼, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଭଳି ୭ଟି ଜିଲ୍ଲାକୁ ଆଲର୍ଟ କରାଯାଇଛି।

ବନ୍ୟା ମୁକାବିଲା ପାଇଁ ଓଡ଼ିଶାର ୧୬ଟି ଜିଲ୍ଲାରେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବାହିନୀର ୧୦୬ଟି ଟିମ ମୁତୟନ ହୋଇଛନ୍ତି। ସେହିପରି ଦୁର୍ବଳ ନଦୀବନ୍ଧଗୁଡ଼ିକରେ ୨୪ ଘଣ୍ଟିଆ ପାଟ୍ରୋଲିଂ କରିବାକୁ ନିର୍ଦେଶ ଦିଆଯାଇଛି।

Tags: #HeavyRainfall #FloodSituation #Mahanadi #Baitarani #WaterlevelRise #Odisha

Comment