ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ଉପନିର୍ବାଚନ ପାଇଁ ବୁଧବାର ଭୋଟ ଗ୍ରହଣ ଜାରି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ, ୬୪ଟି ୱାର୍ଡମେମ୍ବର ଏବଂ ୯ଟି ପଞ୍ଚାୟତ ସମିତି ସଭ୍ୟ ଆସନ ପାଇଁ ମତଦାନ ହେଉଛି। ଅଗଷ୍ଟ ୧୧ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ଘୋଷଣା ହେବ।

ବୁଧବାର ଯାଜପୁର ଜିଲ୍ଲାର ୧୫ ନମ୍ବର ଜୋନ ଧର୍ମଶାଳାରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଉପନିର୍ବାଚନ ହେଉଛି। କଟକ ଜିଲ୍ଲାର ଡମପଡ଼ା ଓ ଶରଧାପୁର, ଗଞ୍ଜାମର ଅମୃତୁଲୁ, ମୟୂରଭଞ୍ଜର ପାନପତ୍ରିଆ, ନବରଙ୍ଗପୁରର ସାନମନ୍ଦା ଏବଂ ପୁରୀର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ଆସନ ପାଇଁ ମତଦାନ ହେଉଛି।

ଅନ୍ୟପଟେ ବଲାଙ୍ଗୀରର ଗୋଟିଏ ୱାର୍ଡ, ବାଲେଶ୍ଵରର ୨ଟି, ବରଗଡ଼ର ୫ଟି, ସୋନପୁରର ଗୋଟିଏ, କଟକର ୩ଟି, ଗଞ୍ଜାମର ୬ଟି, ଯାଜପୁରର ୨ଟି, କଳାହାଣ୍ଡିର ୪ଟି, କେନ୍ଦ୍ରାପଡ଼ାର ଗୋଟିଏ, କେନ୍ଦୁଝରର ୩ଟି, କୋରାପୁଟର ୨ଟି, ମୟୂରଭଞ୍ଜର ୪ଟି, ନବରଙ୍ଗପୁରର ୧୦ଟି ୱାର୍ଡ, ନୟାଗଡ଼ର ୨ଟି ୱାର୍ଡରେ ୱାର୍ଡମେମ୍ବର ଆସନ ପାଇଁ ଉପନିର୍ବାଚନ କରାଯାଉଛି।

ଉପରୋକ୍ତ ସବୁ ଆସନରେ ଉପନିର୍ବାଚନ ପାଇଁ ବୁଧବାର ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଅପରାହ୍ଣ ୩ଟାରେ ମତଦାନ ଶେଷ ହେବ। ଏଥିପାଇଁ ରାଜ୍ୟ ନିର୍ବାଚନ କମିସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ମତଦାନ ପରେ ବଲାଟ ବାକ୍ସଗୁଡ଼ିକୁ ସ୍ଥାନୀୟ ବ୍ଲକ ଅଫିସରେ ହୋଇଥିବା ଷ୍ଟ୍ରଙ୍ଗ ରୁମରେ ରଖାଯିବ। ୧୧ ତାରିଖରେ ଭୋଟ ଗଣତିବେଳେ ଏଗୁଡ଼ିକୁ ଖୋଲାଯିବ।

ଉପରୋକ୍ତ ଆସନଗୁଡ଼ିକରେ ନିର୍ବାଚିତ ପ୍ରତିନିଧିଙ୍କ ମୃତ୍ୟୁ, ଇସ୍ତଫା କିମ୍ବା ଅଯୋଗ୍ୟତା କାରଣରୁ ଏଗୁଡ଼ିକ ଖାଲି ପଡ଼ିଥିଲା। ସେହିପରି କେତେକ ସରଂକ୍ଷିତ ଆସନରେ ଉପଯୁକ୍ତ ପ୍ରାର୍ଥୀ ନମିଳିବାରୁ ଗତବର୍ଷ ପଞ୍ଚାୟତ ନିର୍ବାଚନ ବେଳେ ସେଠାରେ ମତଦାନ ହୋଇନଥିଲା। ଏବେ ଏହିସବୁ ଖାଲି ପଡ଼ିଥିବା ଆସନଗୁଡ଼ିକ ପୂରଣ ହେବ।

Tags: #PanchayatByElection #Panchayats #Voting #Election #Odisha

Comment