ଓଡ଼ିଶାଲାଇଭ୍ ବ୍ୟୁରୋ

ଗଞ୍ଜାମ ଜିଲ୍ଲା ତାମ୍ପରା ହ୍ରଦର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପକୁ ନାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲଙ୍କ (ଏନଜିଟି) ଝଟକା ଲାଗିଛି। ହ୍ରଦରେ ସବୁ ପ୍ରକାର ନିର୍ମାଣ ଉପରେ ରୋକ ଲଗାଇଛନ୍ତି ଏନଜିଟି। ଏନେଇ ତଦାରଖ କରିବା ପାଇଁ ଗଞ୍ଜାମର ଜିଲ୍ଲାପାଳଙ୍କୁ ନିର୍ଦେଶ ଜାରି କରାଯାଇଛି।

ଜାତୀୟ ଆର୍ଦ୍ରଭୂମି ସଂରକ୍ଷଣ ଓ ପରିଚାଳନା ନିୟମ ୨୦୧୭ର ଧାରା ୪ ଅନୁସାରେ ତାମ୍ପରା ହ୍ରଦରେ କୌଣସି ପ୍ରକାର ନିର୍ମାଣ କାମ ହୋଇପାରିବ ନାହିଁ ବୋଲି ଦର୍ଶାଇ ଏନଜିଟିରେ ଆବେଦନ କରାଯାଇଥିଲା। ଏହାର ଶୁଣାଣି କରି ଏନଜିଟି ଏଭଳି ନିର୍ଦେଶ ଦେଇଛନ୍ତି। ୱାଇଲ୍ଡ ଲାଇଫ୍‌ ସୋସାଇଟିର ଅଫ୍‌ ଓଡ଼ିଶାର ସମ୍ପାଦକ ବିଶ୍ଵଜିତ ମହାନ୍ତି ଏନଜିଟିରେ ଏହି ଆବେଦନ କରିଥିଲେ।

ସେହିପରି ଏନଜିଟି ନିଜ ରାୟରେ ତାମ୍ପରା ହ୍ରଦର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଏକ ୪ ଜଣିଆ କମିଟି ଗଠନ କରିବାକୁ କହିଛନ୍ତି। ଏହି କମିଟିରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ବରିଷ୍ଠ ବୈଜ୍ଞାନିକ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ବୈଜ୍ଞାନିକ, ଗଞ୍ଜାମ ଜିଲ୍ଲାପାଳ ଓ ରାଜ୍ୟ ଆର୍ଦ୍ରଭୂମି କର୍ତ୍ତୃପକ୍ଷର ପ୍ରତିନିଧି ରହିବେ। କମିଟିକୁ ୪ ସପ୍ତାହ ମଧ୍ୟରେ ଏନଜିଟିକୁ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦେଶ ରହିଛି।

ଇକୋଟୁରିଜିମ୍‌‌ କ୍ଷେତ୍ରରେ ତାମ୍ପରା ହ୍ରଦର ଅନ୍ତର୍ଜାତୀୟସ୍ତରରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହା ରାମସାର୍‌ ସାଇଟର ମାନ୍ୟତା ପାଇଛି। ଏହା ହେଉଛି ଓଡ଼ିଶାର ବୃହତ ମଧୁରଜଳ ହ୍ରଦ। ନିୟମ ଅନୁସାରେ ହ୍ରଦର କୂଳଠାରୁ ୫୦ ମିଟର ସ୍ଥଳଭାଗ ଆଡ଼କୁ କୌଣସି ସ୍ଥାୟୀ ନିର୍ମାଣ କରାଯାଇ ପାରିବ ନାହିଁ।

ଏବେ ତାମ୍ପରା ହ୍ରଦ କୂଳରେ ୩ ମହଲା କୋଠା ନିର୍ମାଣ କରାଯାଉଛି। ହ୍ରଦ ନିକଟରେ ବିଡିଏ ତରଫରୁ ମଧ୍ୟ କିଛି କ୍ୟାବିନ୍‌ ତିଆରି ଚାଲିଛି। ଏହି ନିର୍ମାଣ ଉପରେ ରୋକ୍‌ ଲଗାଇବା ପାଇଁ ଅବେଦନରେ ଉଲ୍ଲେଖ କରାଯାଇଥିଲା। ଏବେ ସେପ୍ଟେମ୍ବର ୧୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: #TamparaLake #BeautificationProject #NationalGreenTribunal #RamsarSite #Odisha

Comment