ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ବିଭିନ୍ନ ରାଜ୍ୟରେ ୭ଟି ବଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର କ୍ୟାବିନେଟର ଅନୁମତି ମିଳିଛି। ଏଥିପାଇଁ ୩୨ ହଜାର ୫୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହିସବୁ ରେଳ ପ୍ରକଳ୍ପ ମଧ୍ୟରେ ଓଡ଼ିଶାର ନିର୍ଗୁଣ୍ଡି ଏବଂ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ସାମିଲ ରହିଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

କେନ୍ଦ୍ର କ୍ୟାବିନେଟର ଅନୁମୋଦିତ ହୋଇଥିବା ପୂର୍ବତଟ ରେଳପଥର ଏହି ନୂଆ ପ୍ରକଳ୍ପର ମୋଟ ଲମ୍ବ ହେଉଛି ୩୮୫ କିଲୋମିଟର। ଏଥିରେ ନିର୍ଗୁଣ୍ଡିରୁ ବାରଙ୍ଗ ଏବଂ ଖୋର୍ଦ୍ଧା ରୋଡରୁ ବିଜୟନଗରମ୍ ମଧ୍ୟରେ ତୃତୀୟ ଲାଇନ ନିର୍ମାଣ ହେବ। ଏହି ତୃତୀୟ ରେଳ ଲାଇନ ନିର୍ମାଣ ପାଇଁ ୫ ହଜାର ୬୧୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।

ଓଡ଼ିଶା ଦେଇ ପଶ୍ଚିମବଙ୍ଗ ଓ ଦକ୍ଷିଣ ରାଜ୍ୟ ମାନଙ୍କୁ ରେଳ ଚଳାଚଳ ଯୋଗୁଁ ଏହି ରେଲୱେ ରୁଟ ଉପରେ ଅଧିକ ଚାପ ରହୁଛି। ତୃତୀୟ ରେଳ ଲାଇନ ନିର୍ମାଣ ହେଲେ ଉକ୍ତ ରୁଟରେ ଅଧିକ ଟ୍ରେନ ଯାତାୟତ କରିପାରିବ।

ତୃତୀୟ ରେଳ ଲାଇନ ପ୍ରକଳ୍ପରେ ଓଡ଼ିଶାର ବିଭିନ୍ନ ନଦୀରେ ସେତୁ ନିର୍ମାଣ ହେବାର ଯୋଜନା ରହିଛି। ଏଥିରେ ବିରୂପା ନଦୀ ଉପରେ ୪୮୮ ମିଟର, ମହାନଦୀ ଉପରେ ୨ ହଜାର ୯୬ ମିଟର, କାଠଯୋଡ଼ି ନଦୀ ଉପରେ ୮୨୨ ମିଟର, କୁଆଖାଇ ନଦୀ ଉପରେ ୮୦୦ ମିଟର, ରୁଷିକୁଲ୍ୟା ନଦୀ ଉପରେ ୪୫୭ ମିଟର ଏବଂ ବଂଶଧାରା ନଦୀ ଉପରେ ୪୧୦ ମିଟର ଦୀର୍ଘ ରେଳ ସେତୁ ନିର୍ମାଣ ହେବ।

ନୂଆ ରେଳ ଲାଇନ ନିର୍ମାଣ ହେଲେ ଏଥିରେ ଓଡ଼ିଶାରୁ ବିଭିନ୍ନ ବନ୍ଦର ଏବଂ ଦକ୍ଷିଣ ଭାରତକୁ ସୁଲଭ ଓ ସହଜରେ କୋଇଲା ରପ୍ତାନି ହୋଇପାରିବ। ସେହିପରି ପାରାଦୀପ ବନ୍ଦର ଓ ଗୋପାଳପୁର ବନ୍ଦରକୁ ଆସୁଥିବା କଞ୍ଚାମାଲକୁ ସହଜରେ ରାଜ୍ୟର ବିଭିନ୍ନ ପ୍ଲାଣ୍ଟକୁ ପରିବହନ କରାଯାଇପାରିବ।

Tags: #UnionCabinetMeeting #RailwayProjects #EastcoastRailways #MinistryofRailways #Odisha

Comment