ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ପ୍ରତିଯୋଗିତାର ବିଭିନ୍ନ ଖେଳରେ ଭାରତର ୬୩୪ ଜଣ ଖେଳାଳି ଅଂଶଗ୍ରହଣ କରିବେ। ଏହି ଦଳରେ ଓଡ଼ିଶାର ୧୪ ଜଣ ଖେଳାଳି ସାମିଲ ହୋଇଛନ୍ତି। ଏନେଇ ଭାରତୀୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ଓଡିଶାରୁ ଏସିଆନ ଗେମ୍ସ ପାଇଁ ମନୋନୀତ ହୋଇଥିବା ୧୪ ଖେଳାଳିଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ୧୨ ଜଣ ମହିଳା ରହିଛନ୍ତି। ଭାରତୀୟ ମହିଳା ରାଗବୀ ୭ ଦଳରେ ଓଡିଶାରୁ ସର୍ବାଧିକ ୪ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଲେ ମାମା ନାୟକ, ତରୁଲତା ନାୟକ, ନିର୍ମାଲ୍ୟା ରାଉତ ଏବଂ ଡୁମୁଣି ମାରାଣ୍ଡି।

ଓଡ଼ିଶାର ଅଂଶିକା ଭାରତୀ, ରିତୁ କାଉଡ଼ି ଓ ସୋନାଲି ସ୍ଵାଇଁ ଭାରତୀୟ ରୋଇଂ ଟିମରେ ସାମିଲ ହୋଇଛନ୍ତି। ସେହିପରି ଏସିଆନ ଗେମ୍ସ ଜ୍ୟୁ ଜିତସୁ ଗେମରେ ଓଡ଼ିଶାର ଅନୁପମା ସ୍ଵାଇଁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ଦେଖିବାକୁ ମିଳିବ।

ଅନ୍ୟପଟେ ମହିଳା ହକି ତାରକା ଦୀପଗ୍ରେସ ଏକ୍କା ଏସିଆନ ଗେମ୍ସ ପାଇଁ ଭାରତୀୟ ମହିଳା ହକି ଦଳରେ ସାମିଲ ହୋଇଥିବାବେଳେ ଡିଫେଣ୍ଡର ଅମିତ ରୋହିଦାସ ପୁରୁଷ ହକି ଦଳରେ ଖେଳିବେ। ସେହିପରି ଓଡ଼ିଆ ଆଥଲେଟ କିଶୋର ଜେନା ଜାଭେଲିନ ଥ୍ରୋରେ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ସେହିପରି ମହିଳା କାୟାକିଂ ଓ କନୋଇଂ ଖେଳରେ ଓଡ଼ିଶାର ଏଲ୍ ନେହା ଦେବୀ ସାମିଲ ହୋଇଥିବାବେଳେ ଭାରତୀୟ ମହିଳା ଫୁଟବଲ ଦଳରେ ରାଜ୍ୟରୁ ପ୍ୟାରୀ ଖାଖା ଏବଂ ମନୀଷା ପନ୍ନା ଚୟନ ହୋଇଛନ୍ତି।

ଏସିଆନ ଗେମ୍ସ ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ୮୫୦ ଜଣ ଆଥଲେଟଙ୍କ ନାଁ ସୁପାରିସ କରିଥିଲା। ହେଲେ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ୩୮ଟି ଖେଳ ପାଇଁ ୬୩୪ ଜଣ ଖେଳାଳିଙ୍କ ନାଁ ଘୋଷଣା କରାଯାଇଛି।

ଏଥର ଏସିଆନ ଗେମ୍ସ ଆଥଲେଟିକ୍ସରେ ନୀରଜ ଚୋପ୍ରାଙ୍କ ନେତୃତ୍ୱରେ ଭାରତର ୩୪ ପୁରୁଷ ଓ ୩୧ ମହିଳା ପ୍ରତିନିଧିତ୍ୱ କରିବେ। ସେହିଭଳି ଆକ୍ୱାଟିକ୍ସରେ ୨୨, ତୀରନ୍ଦାଜୀରେ ୧୬, କୁସ୍ତିରେ ୧୮ଜଣ ଅଂଶଗ୍ରହଣ କରିବେ। ପ୍ରଥମଥର ପାଇଁ ଏସିଆନ ଗେମ୍ସରେ ପବଜି ଭଳି ମୋବାଇଲ ଗେମ୍ସକୁ ନେଇ ଇ-ସ୍ପୋର୍ଟସ ଖେଳାଯିବ। ଏଥିରେ ଭାରତରୁ ୧୫ ଜଣ ଖେଳାଳି ଭାଗନେବେ।

୨୦୧୮ ଏସିଆନ ଗେମ୍ସ ସଂସ୍କରଣରେ ଭାରତ ୫୭୨ ଜଣିଆ ଟିମ ପଠାଇଥିଲା। ଏଥିରେ ଦେଶର ଖେଳାଳିମାନେ ୧୬ଟି ସ୍ୱର୍ଣ୍ଣ ସହ ମୋଟ ୭୩ଟି ପଦକ ଜିତିଥିଲେ। ଏଥର ଭାରତୀୟ ଦଳର ପଦକ ସଂଖ୍ୟ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।

Tags: #AsianGames #IndianSquad #OdiaPlayers #Sports #India

 

Comment