ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ କାମ ପାଇଁ ଭୁବନେଶ୍ଵରରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି। ଏଥିପାଇଁ କିଛିଦିନ ହେବ ରାଜ୍ୟର ଅନେକ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୁରୁବାରଠାରୁ ଭୁବନେଶ୍ଵରରୁ ଟ୍ରେନ ଚଳାଚଳ ସ୍ଵାଭାବିକ ହେବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ କାମ ପାଇଁ ଭୁବନେଶ୍ଵର ରେଳ ଷ୍ଟେସନରୁ ଅନେକ ଟ୍ରେନକୁ ସମ୍ପୂର୍ଣ୍ଣ ତଥା ଆଂଶିକ ଭାବେ ବାତିଲ କରାଯାଇଛି। ଏହି ଲାଇନର ସିଗନାଲିଂ ସିଷ୍ଟମର କାମ ସରିଥିବାବେଳେ ରେଳ ନିରାପତ୍ତା ଆୟୁକ୍ତଙ୍କ ଦ୍ଵାରା ଏହାର ଯାଞ୍ଚ ମଧ୍ୟ ସରିଛି। ଫଳରେ ଭୁବନେଶ୍ଵରରୁ ଟ୍ରେନସେବା ସୁରୁଖୁରୁରେ ଆରମ୍ଭ ହେବ।

ଖୋର୍ଦ୍ଧା ରୋଡ୍-ବାରଙ୍ଗ ତୃତୀୟ ଲାଇନ୍ ପ୍ରକଳ୍ପରେ ମଞ୍ଚେଶ୍ୱର ରେଳ ଷ୍ଟେସନର ଲେଆଉଟ୍ ପରିବର୍ତ୍ତନ କାମ ଜାରି ରହିଥିଲା। ଏହି ଲାଇନ ଦେଇ ଟ୍ରେନ ଚଳାଚଳ କରିବାରେ ଅସୁବିଧା ହେଉଥିଲା। ଏଥିପାଇଁ ଅଗଷ୍ଟ ୧୨ ତାରିଖରୁ କିଛି ଟ୍ରେନକୁ ସାମୟିକ ଭାବେ ବାତିଲ ଏବଂ କିଛି ଟ୍ରେନର ରୁଟ୍ ପରିବର୍ତ୍ତନ କରାଯାଇଥିଲା।

ଏହାପୂର୍ବରୁ ସମ୍ବଲପୁର ଡିଭିଜନରେ ମଧ୍ୟ ରେଳଧାରଣା ମରାମତି କାମ ପାଇଁ ଅଗଷ୍ଟ ୧୬ ତାରିଖରୁ ୨୫ ତାରିଖ ଯାଏଁ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥିଲା। ଏଠାରେ ସମ୍ବଲପୁରରୁ ଚାଲୁଥିବା କିଛି ଟ୍ରେନକୁ ସମ୍ପୂର୍ଣ୍ଣ ଏବଂ ଆଂଶିକ ଭାବେ ବାତିଲ କରାଯାଇଥିଲା।

Tags: #TrainServices #Bhubaneswar #Passengers #EastCoastRailway #Odisha

Comment