ଓଡ଼ିଶାଲାଇଭ୍ ବ୍ୟୁରୋ

  • ଭୁବନେଶ୍ଵରରେ ପ୍ରଥମ ‘ଟେକ୍ ଇନ ଟୁରିଜିମ’ କନକ୍ଲେଭ
  • ପର୍ଯ୍ୟଟନ କ୍ଷେତ୍ରରେ ଟେକ୍ନୋଲୋଜିର ବ୍ୟବହାରକୁ ନେଇ ଚର୍ଚ୍ଚା
  • ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ ପକ୍ଷରୁ ହେବ ଆୟୋଜନ

ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜିତ ହେବାକୁ ଯାଉଛି ‘ଟେକ୍ ଇନ ଟୁରିଜିମ’ କନକ୍ଲେଭ। ଭୁବନେଶ୍ଵର ସ୍ଥିତ ଆରସିଏମ କଲେଜରେ ସେପ୍ଟେମ୍ବର ୪ ତାରିଖ ସୋମବାର ଦିନ ଏହି ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ। ଏଠାରେ ଟେକ୍ନୋଲୋଜିର ବ୍ୟବହାର ମାଧ୍ୟମରେ ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ବିକାଶକୁ ନେଇ ବିଭିନ୍ନ ଆଲୋଚନା କରାଯିବ। ଟ୍ରାଭେଲ ଟେକ କମ୍ପାନି ‘ରେଟରୋଡ’ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଏହି ଟେକ୍ ଇନ ଟୁରିଜିମ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି, ଉଦ୍ୟୋଗପତି, ରାଜନେତା ତଥା ହୋଟେଲ ଓ ପର୍ଯ୍ୟଟନ ଶିଳ୍ପ ସହ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେବେ। ପର୍ଯ୍ୟଟନ ଶିଳ୍ପରେ ବିଭିନ୍ନ ଟେକ୍ନୋଲୋଜିକୁ କିଭଳି ଭାବେ ଉତ୍ତମ ରୂପେ ବ୍ୟବହାର କରିହେବେ ସେନେଇ ଏଠାରେ ଚର୍ଚ୍ଚା କରାଯିବ।

“ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଅନେକ ସୁଯୋଗ ରହିଛି। ଟେକ୍ନୋଲୋଜିର ଉତ୍ତମ ବ୍ୟବହାର ହେଲେ ଓଡ଼ିଶାର ପର୍ଯ୍ୟଟନ ଏକ ନୂଆ ସ୍ତରକୁ ଯିବ। ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଟେକ୍ ଇନ ଟୁରିଜିମ କାର୍ଯ୍ୟକ୍ରମ ଆମେ ଆୟୋଜନ କରିବାକୁ ଯାଉଛୁ। ଏହା ରାଜ୍ୟର ପର୍ଯ୍ୟଟନ ବିକାଶରେ ଅନେକ ମାତ୍ରାରେ ଉପଯୋଗୀ ହୋଇପାରିବ ବୋଲି ମୋର ବିଶ୍ଵାସ”, କହିଛନ୍ତି ରେଟରୋଡ କମ୍ପାନିର ପ୍ରତିଷ୍ଠାତା ପ୍ରଭାତ କୁମାର ପଣ୍ଡା।

ଏହି କାର୍ଯ୍ୟକ୍ରମରେ ସୋମବାର ୮ଟି ସେସନ ରହିବ। ପର୍ଯ୍ୟଟନରେ ଟେକ୍ନୋଲୋଜିର ବ୍ୟବହାର ପାଇଁ ସଚେତନତା, ଓଡ଼ିଶାରେ ପର୍ଯ୍ୟଟନର ସମ୍ଭାବନା, ପର୍ଯ୍ୟଟନ ବିକାଶ ପାଇଁ ନୂଆ ଆବିଷ୍କାର, ସ୍ମାର୍ଟ ଟୁରିଜିମ ଭଳି ବିଷୟକୁ ନେଇ ଏହି ସେସନଗୁଡ଼ିକ ଆୟୋଜିତ ହେବ।

୩୦ରୁ ଅଧିକ ବକ୍ତା ଏହି କାର୍ଯ୍ୟକ୍ରମରେ ନିଜର ମତ ରଖିବେ। ସେହିପରି ଟେକ୍ନୋଲୋଜି ମାଧ୍ୟମରେ ପର୍ଯ୍ୟଟନ ଶିଳ୍ପ ଓ ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ କିଭଳି ସୁଦୃଢ଼ କରାଯାଇପାରିବ ସେନେଇ ଏଠାରେ ବିଶେଷ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ଅଧ୍ୟକ୍ଷ ଡକ୍ଟର ଲେନିନ ମହାନ୍ତି, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ୍)ର ସଭାପତି ମନୋଜ କୁମାର ମିଶ୍ର, ଇନଷ୍ଟିଚ୍ୟୁଟ୍ ଅଫ ହୋଟେଲ ମ୍ୟାନେଜମେଣ୍ଟ ଭୁବନେଶ୍ଵରର ଅଧ୍ୟକ୍ଷ ସାରଦା ଘୋଷ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଏହାସହ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ହୋଟେଲ ଇଣ୍ଡଷ୍ଟ୍ରି ମାଲିକମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଓଡ଼ିଶାର ଅଗ୍ରଣୀ ଡିଜିଟାଲ୍‍ ମିଡିଆ ପ୍ଲାଟ୍‍ଫର୍ମ ‘ଓଡ଼ିଶାଲାଇଭ୍’ ଏହି ‘ଟେକ୍ ଇନ ଟୁରିଜିମ’ କାର୍ଯ୍ୟକ୍ରମର କମ୍ୟୁନିକେସନ ପାର୍ଟନର ରହିଛି।

Tags: #TechinTourismConclave #TourismDevelopment #TravelTech #RetRod #Odisha

Comment