ଓଡ଼ିଶାଲାଇଭ୍ ବ୍ୟୁରୋ
- ଭାରତରେ ସିମ୍ କାର୍ଡ ବିକ୍ରି ନିୟମ କଡ଼ାକଡ଼ି
- ଅକ୍ଟୋବର ୧ରୁ କେବଳ ପଞ୍ଜୀକୃତ ବିକ୍ରେତା ହିଁ ବିକିପାରିବେ ସିମ୍
- ନିୟମ ଉଲଂଘନ ହେଲେ ଟେଲିକମ କମ୍ପାନିକୁ ୧୦ ଲକ୍ଷ ଟଙ୍କାର ଜୋରିମାନା
ଭାରତରେ ମୋବାଇଲ ସିମ୍ କାର୍ଡ ବିକ୍ରି କରିବା ପାଇଁ ଆସିଲା ନୂଆ ନିୟମ। ଏବେ କେବଳ ପଞ୍ଜୀକୃତ ବିକ୍ରେତା ହିଁ ସିମ୍ ବିକ୍ରି କରିପାରିବେ। ଅକ୍ଟୋବର ୧ ତାରିଖରୁ ଏହି ନୂଆ ନିୟମ ଲାଗୁ ହେବ। ଦେଶରେ ବଢ଼ୁଥିବା ସାଇବର ଠକେଇ ଉପରେ ଲଗାମ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏନେଇ କେନ୍ଦ୍ର ଟେଲିକମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ସବୁ ଟେଲିକମ କମ୍ପାନି ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସେମାନଙ୍କର ସବୁ ଅଧିକୃତ ସିମ୍ କାର୍ଡ ବିକ୍ରେତାଙ୍କ ପଞ୍ଜୀକରଣ କରାଇବା ବାଧ୍ୟତାମୂଳକ। ବିନା ପଞ୍ଜୀକରଣରେ କୌଣସି ବିକ୍ରେତା ସିମ୍ ବିକି ପାରିବେନାହିଁ। ଏହାର ଉଲଂଘନ ହେଲେ ଉକ୍ତ ଟେଲିକମ କମ୍ପାନି ଉପରେ ୧୦ ଲକ୍ଷ ଟଙ୍କାର ଜୋରିମାନା ଲଗାଯିବ।
ସିମ୍ କାର୍ଡ ବିକ୍ରେତାଙ୍କ ପଞ୍ଜୀକରଣବେଳେ ସେମାନଙ୍କ କର୍ପୋରେଟ ପରିଚୟପତ୍ର (ସିଆଇଏନ), ବିଜନେସ ଲାଇସେନ୍ସ, ଆଧାର କାର୍ଡ, ପାନ୍ କାର୍ଡ ଓ ଜିଏସଟି ନମ୍ବର ଆଦି ଟେଲିକମ ବିଭାଗ ନିକଟରେ ଦାଖଲ କରିବାକୁ କୁହାଯାଇଛି।
ଅନ୍ୟପଟେ ବିକ୍ରେତାଙ୍କ ପଞ୍ଜୀକରଣବେଳେ ଯଦି କୌଣସି ଡକ୍ୟୁମେଣ୍ଟ ଜାଲ୍ ଥିବା ଜଣାପଡ଼ିବ, ତେବେ ତାଙ୍କ ମାଧ୍ୟମରେ ଆକ୍ଟିଭେଟ୍ ହୋଇଥିବା ସବୁ ସିମ୍ କାର୍ଡର ଯାଞ୍ଚ କରାଯିବା ନେଇ ଟେଲିକମ ବିଭାଗ ପକ୍ଷରୁ ସର୍କୁଲାର ଜାରି ହୋଇଛି।
କେନ୍ଦ୍ର ସଞ୍ଚାର ମନ୍ତ୍ରାଳୟର ସୂଚନା ଅନୁସାରେ ଏ ଯାଏଁ ଦେଶରେ ୬୭ ହଜାର ସିମ୍ କାର୍ଡ ଡିଲରଙ୍କୁ ବ୍ଲାକ୍ ଲିଷ୍ଟ କରାଯାଇଛି। ସେମାନଙ୍କ ବିରୋଧରେ ଅବୈଧ ସିମ୍ ବିକ୍ରି କରିବା ଓ ଅନ୍ୟାନ୍ୟ ଠକେଇର ଅଭିଯୋଗ ହୋଇଥିଲା।
ସେହିପରି ମନ୍ତ୍ରାଳୟ ପକ୍ଷରୁ ଭାରତରେ ୫୨ ଲକ୍ଷ ମୋବାଇଲ ସିମକୁ ରଦ୍ଦ କରାଯାଇଛି। ଏହାସହ ୬୬ ହଜାର ଜାଲ ହ୍ୱାଟ୍ସଆପ୍ ଆକାଉଣ୍ଟକୁ ବ୍ଲକ୍ କରାଯିବା ସହ ୩୦୦ରୁ ଅଧିକ ସାଇବର ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
Tags: #SimCard #TelecomServices #TelecomOperators #DeptofTelecommunication #India