ଓଡ଼ିଶାଲାଇଭ୍ ବ୍ୟୁରୋ

ଦଳ ବିରୋଧୀ ମନ୍ତବ୍ୟ ପାଇଁ କଂଗ୍ରେସରୁ ନିଲମ୍ବିତ ହୋଇଛନ୍ତି ମନ୍ମଥ ରାଉତରାୟ। 

ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ କଂଗ୍ରେସରୁ ନିଲମ୍ବିତ। ପିସିସି ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି। ଦଳ ବିରୋଧରେ ମନ୍ତବ୍ୟ ଦେଇଥିବାରୁ ମନ୍ମଥଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟତା ହରାଇବାକୁ ପଡ଼ିଛି।

ପିସିସି ସଦସ୍ୟ ଥାଇ ସୁଦ୍ଧା କଂଗ୍ରେସରେ ନଥିବା ନେଇ କିଛିଦିନ ତଳେ ବୟାନ ରଖିଥିଲେ ମନ୍ମଥ ରାଉତରାୟ। ମିଡିଆକୁ ଦେଇଥିବା ଏହି ବୟାନକୁ ନେଇ ଦଳ ପକ୍ଷରୁ ତାଙ୍କୁ ସୋ’ କଜ୍‌ ନୋଟିସ ଜାରି ହୋଇଥିଲା। ତେବେ ଏହାର ଉତ୍ତର ନଦେବାରୁ ମନ୍ମଥଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପିସିସି ଶୃଙ୍ଖଳା କମିଟି ।

୨୦୨୪ରେ ନିର୍ବାଚନରେ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଥିଲେ ମନ୍ମଥ। କଂଗ୍ରେସରେ ଥିବାରୁ ତାଙ୍କୁ ଲୋକେ ପସନ୍ଦ କରୁନଥିବା ନେଇ ସର୍ଭେ ରିପୋର୍ଟ ଆସିଥିବା ସେ କହିଥିଲେ। ତେଣୁ ଅଞ୍ଚଳବାସୀଙ୍କ ପାଇଁ ଯେଉଁ ଦଳ ଭଲ ହେବ ସେହି ଦଳରେ ସାମିଲ ହେବେ ବୋଲି ମତ ଦେଇଥିଲେ ମନ୍ମଥ ରାଉତରାୟ।

ମନ୍ମଥଙ୍କ ଏପରି ବୟାନକୁ ଅନେକ ବରିଷ୍ଠ କଂଗ୍ରେସ ନେତା ତୀବ୍ର ସମାଲୋଚନା କରିଥିଲେ। ଏହାସହ ତାଙ୍କ ବିରୋଧରେ ଦଳଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Tags: #ManmathRoutray #Congress #SureshRoutray #Politics #Jatani #Odisha

 

Comment