ଓଡ଼ିଶାଲାଇଭ୍ ବ୍ୟୁରୋ
ଜି-୨୦ ସମ୍ମିଳନୀ ପାଇଁ ଶୁକ୍ରବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ।
ଭାରତରେ ପହଞ୍ଚିଲେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଶୁକ୍ରବାର ସନ୍ଧ୍ୟା ୭ଟା ବେଳେ ଦିଲ୍ଲୀର ପାଲମ ଏୟାରପୋର୍ଟରେ ତାଙ୍କର ବିମାନ ‘ଏୟାର ଫୋର୍ସ ୱାନ’ ଅବତରଣ କରିଥିଲା। କେନ୍ଦ୍ର ସଡ଼କ ପରିବହନ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି କେ ସିଂହ ଜୋ ବାଇଡେନଙ୍କୁ ସ୍ଵାଗତ କରିଥିଲେ। ସେ ଶନିବାର ଜି-୨୦ ସମ୍ମିଳନୀରେ ଯୋଗ ଦେବେ।
ଜୋ ବାଇଡେନ ଶୁକ୍ରବାର ସକାଳେ ୱାଶିଂଟନ ଡିସିରୁ ଭାରତ ଅଭିମୁଖେ ବାହାରିଥିଲେ। ତାଙ୍କର ସ୍ଵାଗତ ପାଇଁ ବିମାନବନ୍ଦରରେ ସାଂସ୍କୃତିକ ନୃତ୍ୟ ପରିବେଷଣ କରାଯାଇଥିଲା।
ନୂଆଦିଲ୍ଲୀରେ ପହଞ୍ଚିବା ପରେ ଶୁକ୍ରବାର ରାତିରେ ରାଷ୍ଟ୍ରପତି ବାଇଡେନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ନିବାସରେ ଏହି ବୈଠକ ହେବ।
ଅନ୍ୟପଟେ ଶୁକ୍ରବାର ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନାକ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଇଟାଲିର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ସମେତ ଅନ୍ୟ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଛନ୍ତି।
Tags: #G20Summit #JoeBiden #USPresident #IndiaVisit #GeoPolitics