ଓଡ଼ିଶାଲାଇଭ୍ ବ୍ୟୁରୋ

ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସମ୍ପାଦକୀୟ ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତାଶୀର୍ଷକକୁ ନେଇ ବିଜେଡିରେ ଉଠିଥିବା ଝଡ଼ ଥମିବାର ନାଁ ନଉନି।

“ମୁଁ ଯାହା ଲେଖୁଛି ଦଳର ମଙ୍ଗଳ ହେବ ସିନା ଅମଙ୍ଗଳ ହେବ ନାହିଁ। ମୁଁ ଆଦୌ ଦଳ ବିରୋଧରେ ଯାଇନାହିଁ”, ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

ଗତ ଦୁଇ ତିନିଦିନ ଧରି ଚାଲିଛି ବିଜେଡି ବନାମ ସୌମ୍ୟରଞ୍ଜନ ରାଜନୈତିକ ବୟାନବାଜି। ସୌମ୍ୟରଞ୍ଜନ ଲେଖିଥିବା ସମ୍ପାଦକୀୟ ‘ଆତ୍ମ ବିଭୋର ପ୍ରଶାସକ ଓ ଅସହାୟ ରାଜନେତା’ ଶୀର୍ଷକକୁ ନେଇ ବିଜେଡିରେ କମ୍ପନ ସୃଷ୍ଟି ହୋଇଛି। ଏହାକୁ ନେଇ ଦଳୀୟ ବିଧାୟକମାନେ ସିଧାସଳଖ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ସୌମ୍ୟ ଦଳ ବିରୋଧୀ କାର୍ଯ୍ୟ କରୁଥିବା କହିଛନ୍ତି। ସୌମ୍ୟ ମଧ୍ୟ ତା’ର ସିଧା ସିଧା ଉତ୍ତର ଦେଇଛନ୍ତି।

ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, “ଗତ ଦୁଇଦିନ ଧରି ପୂର୍ବତନ ମନ୍ତ୍ରୀ ଓ ବର୍ତ୍ତମାନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ବାରମ୍ବାର ବ୍ଲାକମେଲ ଶବ୍ଦକୁ ବ୍ୟବହାର କରୁଛନ୍ତି। ଆଜି ମନ୍ତ୍ରୀ ପ୍ରତାପ କେଶରୀ ଦେବ ମୋତେ ସମ୍ପାଦକୀୟ ଲେଖିବା କିମ୍ବା ଦଳରେ ରହିବା ଗୋଟିଏକୁ ବାଛିବା ପାଇଁ ଆହ୍ଵାନ କରିଛନ୍ତି।”

ସୌମ୍ୟରଞ୍ଜନ ଆହୁରି ମଧ୍ୟ କହିଛନ୍ତି ଯେ, “ମୁଁ ଦଳରେ ରହିବି କି ନାହିଁ,ମନ୍ତ୍ରୀ ମୋତେ ନିର୍ଦେଶ ଦେଇପାରିବେ ନାହିଁ। ମୁଁ ଦଳରେ ଅଛି ମୋତେ ଗର୍ବ ଅନୁଭବ ହେଉଛି। ମୋର ଦଳ ଛାଡ଼ିବାର ନାହିଁ।”

ସେ କଟାକ୍ଷ କରି କହିଛନ୍ତି, ବିଜୁ ଜନତା ଦଳ କାହାର ପୈତୃକ ସମ୍ପତ୍ତି ନୁହେଁ। ମୁଁ ଦଳ ବିରୋଧରେ ଯାଇ ନାହିଁ। ମୁଁ ଦଳରେ ଶୃଙ୍ଖଳା ଫେରାଇ ଆଣିବାକୁ ସବୁବେଳେ ଉଦ୍ୟମ କରିଆସୁଛି।

ସେ ପ୍ରଶ୍ନ କରିଛନ୍ତି, “ଆମର କ’ଣ କୌଣସି ଦୁର୍ବଳତା ନାହିଁ? ଆଗକୁ ଆସୁଥିବା ବିପଦର ମୁକାବିଲା ପାଇଁ ପ୍ରସ୍ତୁତ କରିବା ପାଇଁ ପୂର୍ବରୁ ସୂଚାଇଦେବା କ’ଣ ମୋର ଭୁଲ?”

ସୌମ୍ୟରଞ୍ଜନ ପଟ୍ଟନାୟକ ଆହୁରି କହିଛନ୍ତି, ଦିନେ ‘ଓଡ଼ିଶାବାସୀଙ୍କ ବଳ ବିଜୁ ଜନତା ଦଳ’ ବୋଲି କୁହାଯାଉଥିଲା। ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ବିଜୁ ଜନତା ଦଳର କୌଣସି ବିକଳ୍ପ ଦଳ ନାହିଁ। ବିଜେପିକୁ ମଧ୍ୟ ପ୍ରତିଦ୍ଵନ୍ଦ୍ଵୀ ବୋଲି ଭାବୁ ନାହୁଁ। ମୁଖ୍ୟମନ୍ତ୍ରୀଙ୍କୁ ୨୫ ବର୍ଷ ଶାସନକାଳ ମଧ୍ୟରେ ଓଡ଼ିଶାବାସୀଙ୍କର ଯେଉଁଭଳି ଭାବେ ସମର୍ଥନ ଏବଂ ଭଲ ପାଇବା ମିଳିଛି ଦେଶର କୌଣସି ନେତାଙ୍କୁ ଏମିତି ସମର୍ଥନ ମିଳିନାହିଁ। କିନ୍ତୁ ଏକ ଜାତୀୟ ଗଣମାଧ୍ୟମର ସର୍ଭେ ରିପୋର୍ଟ ଅନୁସାରେ ଏବେ ମୁଖ୍ୟମନ୍ତ୍ରୀଙ୍କର ଲୋକପ୍ରିୟତା କାହିଁକି କମି କମି ଯାଉଛି ଦଳ ତା’ର ସମୀକ୍ଷା କରୁଛିକି ବୋଲି ସେ ପ୍ରଶ୍ନ କରିଛନ୍ତି।

ସିଧା ସିଧା ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଛନ୍ତି, ”ତୃତୀୟ ମହଲାରେ ଦଳୀୟ ଫୋରମ ଚାଲିଛି କି? ଆଉ ମୁଖ୍ୟମନ୍ତ୍ରୀ ସାକ୍ଷାତ କରିବା ପାଇଁ ସମୟ ଦେଉଛନ୍ତି? ସରକାରଙ୍କଠାରୁ ଦରମା ଦେଉଥିବା ସଚିବମାନେ ଦଳୀୟ କଥାରେ ମୁଣ୍ଡ ପୁରାଇବା ଉଚିତ୍ ନୁହେଁ। ଆମ ଦଳରେ କ’ଣ କୌଣସି ନେତା ନାହାନ୍ତି, ଜଣେ ଦୁଇ ଜଣ ଆଇଏଏସ ଅଧିକାରୀ ଦଳକୁ ସମ୍ଭାଳିବେ?”

କାହାର ନାଁ ନନେଇ ସୌମ୍ୟ କହିଛନ୍ତି ତାଙ୍କର ଯଦି ରାଜନୀତି କରିବାର ଅଛି ତେବେ ପଦବୀରୁ ଇସ୍ତଫା ଦେଇ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଏବଂ ଦଳକୁ ସମ୍ଭାଳନ୍ତୁ, କାହାର କୌଣସି ଆପତ୍ତି ରହିବ ନାହିଁ।

ଜଣେ ମାତ୍ର ବ୍ୟକ୍ତି ସିଏମଓ ବୁଝିବେ, ସରକାରୀ କଥା ବୁଝିବେ ଏବଂ ଲୋକଙ୍କ କଥା ବି ବୁଝିବେ? ଏହାର ସାଧାରଣ ଜନତା ଏବଂ ନେତାଙ୍କ ପାଇଁ ଅପମାନଜନକ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ସେ।

ମୁଁ ଯାହା ସମ୍ପାଦକୀୟରେ ଲେଖୁଛି ତାହା ଅନୁଶାସନ ବିରୋଧରେ ନୁହେଁ ବରଂ ମୋ ଲେଖା ଦଳର ବୃହତ୍ତର ସ୍ଵାର୍ଥ ଉଦ୍ଦେଶ୍ୟରେ ବୋଲି କହିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ।

Tags: #Politics #OdishaPolitics #BJD #PoliticalWar #Odisha #SoumyaRanjanPatnaik

Comment