ଓଡ଼ିଶାଲାଇଭ୍ ବ୍ୟୁରୋ

ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ ଏବଂ ଧାମରା ବନ୍ଦର ମଧ୍ୟରେ ନୂଆ ରେଳଲାଇନର ଚୂଡ଼ାନ୍ତ ସର୍ଭେକୁ ମଞ୍ଜୁରୀ।

ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ପାଇଁ ନୂଆ ରେଳଲାଇନ ପ୍ରକଳ୍ପ କାମ ଆଉ ପାଦେ ଆଗେଇଛି। ଯାଜପୁର-କେନ୍ଦୁଝର ରୋଡ ଷ୍ଟେସନ ଏବଂ ଧାମରା ବନ୍ଦର ମଧ୍ୟରେ ନୂଆ ରେଳଲାଇନର ଚୂଡ଼ାନ୍ତ ସର୍ଭେ କରିବାକୁ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିଛି। ୯୬ କିଲୋମିଟରର ଏହି ରେଳ ଲାଇନର ଫାଇନାଲ ଲୋକେସନ ସର୍ଭେ (ଏଫଏସଏଲ) ପାଇଁ ୨.୪ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହି ନୂଆ ରେଳ ଲାଇନ ଯାଜପୁର ଟାଉନ ଓ ଭଦ୍ରକର ଆରଡ଼ି ଦେଇ ଧାମରା ବନ୍ଦରକୁ ସଂଯୋଗ କରିବ। ଏହାଦ୍ଵାରା ଓଡ଼ିଶା ଶିଳ୍ପାଞ୍ଚଳର ପେଣ୍ଠସ୍ଥଳୀ କୁହାଯାଉଥିବା ଯାଜପୁରର କଳିଙ୍ଗନଗର ଓ ଧାମରା ବନ୍ଦର ମଧ୍ୟରେ ଯୋଗାଯୋଗ ଉନ୍ନତ ହୋଇ ମାଲ ପରିବହନ ସୁବିଧାଜନକ ହେବ।

ସେହିପରି ଭଦ୍ରକ ଜିଲ୍ଲାର ଆରଡ଼ି ପୀଠରେ ଆଖଣ୍ଡଳମଣି ମନ୍ଦିର ଏବଂ ବିରଜା କ୍ଷେତ୍ର ଯାଜପୁର ଭଳି ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳକୁ ଏହି ପ୍ରସ୍ତାବିତ ରେଳ ଲାଇନ ସଂଯୋଗ କରିବ। ଫଳରେ ଯାଜପୁର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ ପର୍ଯ୍ୟଟନର ବିକାଶ ମଧ୍ୟ ହୋଇପାରିବ।

ଏହି ରେଳ ଲାଇନ ପାଇଁ ଯାଜପୁର ଏବଂ ଭଦ୍ରକ ଜିଲ୍ଲାବାସୀ ଅନେକ ଦିନରୁ ଦାବି କରି ଆସୁଥିଲେ। କେନ୍ଦ୍ର ରେଳମନ୍ତ୍ରୀ କିଛି ମାସ ତଳେ ନିଜର ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତ ସମୟରେ ପ୍ରସ୍ତାବିତ ରେଳ ଲାଇନକୁ ମଞ୍ଜୁର କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

Tags: #DhamaraPort #NewRailwayLine #JajpurRoad #MinistryofRailways

Comment