ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ଜିଲ୍ଲା ବାହାନଗାରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ଏ ଯାଏଁ ୨୯୧ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଏହି ଟ୍ରେନ ଟ୍ରାଜେଡିରେ ମୃତାହାତ ଯାତ୍ରୀଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି। ଦୁର୍ଘଟଣାରେ ପ୍ରାଣହରାଇଥିବା ଯାତ୍ରୀଙ୍କ ପରିବାର ଲୋକଙ୍କୁ ସିଧାସଳଖ ଏହି କ୍ଷତିପୂରଣ ଅର୍ଥ ଦିଆଯାଉଛି।

ବାହାନଗା ଟ୍ରାଜେଡିରେ ମୃତକଙ୍କ ପରିବାର ପାଇଁ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଉଛି। ଏହାବ୍ୟତୀତ ଗୁରୁତର ଆହତ ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ଓ ଅଳ୍ପ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ସେହିପରି ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଦୁର୍ଘଟଣାର ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଅନ୍ୟପଟେ ବାହାନଗା ଟ୍ରାଜେଡିରେ ମୃତାହତ ହୋଇଥିବା ବିଭିନ୍ନ ରାଜ୍ୟର ଲୋକଙ୍କ ପାଇଁ ସେମାନଙ୍କ ରାଜ୍ୟର ସରକାର ପକ୍ଷରୁ ମଧ୍ୟ ସହାୟତା ରାଶିର ଘୋଷଣା କରଯାଇଥିଲା। ଓଡ଼ିଶା ସରକାରଙ୍କ ପକ୍ଷରୁ ବାହାନଗାରେ ପ୍ରାଣ ହରାଇଥିବା ରାଜ୍ୟର ଯାତ୍ରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ଆହତମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି।

ସେହିପରି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ବାହାନଗା ଟ୍ରେନ ଦୁର୍ଘଟଣାର ନିଜ ରାଜ୍ୟର ମୃତକଙ୍କ ପରିବାର ଲୋକଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଦିଆଯାଇଛି। ଏଥିରେ ଗୁରୁତର ଆହତ ହୋଇଥିବା ଯାତ୍ରୀଙ୍କୁ ୨ ଲକ୍ଷ ଟଙ୍କା ଓ ଅଳ୍ପ ଆହତ ହୋଇଥିବା ଯାତ୍ରୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ଅନ୍ୟପଟେ ଆନ୍ଧ୍ରପ୍ରଦେଶ ସରକାର ପ୍ରାଣ ହରାଇଥିବା ନିଜ ରାଜ୍ୟର ଯାତ୍ରୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହାଛଡ଼ା ଗୁରୁତର ଆହତମାନଙ୍କୁ ୫ ଲକ୍ଷ ଟଙ୍କା ଓ ଅଳ୍ପ ଆହତ ହୋଇଥିବା ଯାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଦେଇଛନ୍ତି।

ସେହିପରି ତାମିଲନାଡ଼ୁ ସରକାର ବହନଗା ଟ୍ରାଜେଡିରେ ପ୍ରାଣ ହରାଇଥିବା ନିଜ ରାଜ୍ୟର ମୃତକଙ୍କ ସମ୍ପର୍କୀୟଙ୍କୁ ୫ ଲକ୍ଷ ଟଙ୍କା ଓ ଆହତ ଯାତ୍ରୀକୁ ୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ବିହାର ସରକାର ମଧ୍ୟ ନିଜ ରାଜ୍ୟର ମୃତକମାନଙ୍କ ପରିବାର ପାଇଁ ୨ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବ୍ୟତୀତ ‘ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲରୁ’ ମୃତକଙ୍କ ପରିବାରକୁ ୮ ଲକ୍ଷ ଟଙ୍କାର ସ୍ଵତନ୍ତ୍ର କ୍ଷତିପୂରଣ ରାଶି ମିଳିବାର ପ୍ରାବଧାନ ରହିଛି। ଏହାଛଡ଼ା ଆହତ ଯାତ୍ରୀଙ୍କୁ ୭.୨ ଲକ୍ଷ ଟଙ୍କା ଯାଏଁ କ୍ଷତିପୂରଣ ମିଳିପାରିବ। ଏଥିପାଇଁ ସେମାନଙ୍କୁ ‘ରେଲୱେ କ୍ଲେମସ୍ ଟ୍ରିବ୍ୟୁନାଲ’ରେ ଆବେଦନ କରିବାକୁ ପଡ଼ିବ।

ଆବେଦନର ସମ୍ପୂର୍ଣ୍ଣ ପ୍ରକ୍ରିୟା ଜାଣିବା ପାଇଁ ଏହି ଲିଙ୍କ ଉପରେ କ୍ଲିକ୍ କରନ୍ତୁ – ଟ୍ରେନ ଦୁର୍ଘଟଣାରେ ‘ରେଳବାଇ ଟ୍ରିବ୍ୟୁନାଲ’ରୁ କେମିତି ପାଇବେ କ୍ଷତିପୂରଣ? (odisha.live)

Tags: #BahanagaTrainTragedy #TrainAccidentinOdisha #Compensation #IndianRailways

 

Comment