ଓଡ଼ିଶାଲାଇଭ୍ ବ୍ୟୁରୋ

  • ‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ର ନୂଆ ଶାଖା
  • ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ହେବ ଉଦଘାଟନ
  • ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂରେ ୬ ମାସିଆ ସାର୍ଟିଫିକେଟ୍ କୋର୍ସର ସୁଯୋଗ     

ଓଡ଼ିଶାରେ ଥିଏଟର, ଡ୍ରାମା ଭଳି ନାଟ୍ୟ ଶିକ୍ଷା ପାଇଁ ‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ ଏକ ଉତ୍ତମ ଅନୁଷ୍ଠାନ ପାଲଟିଛି। ଦୀର୍ଘ ୭ ବର୍ଷ ଧରି ଜଗତସିଂହପୁର ଜିଲ୍ଲାର ପାରାଦୀପରେ ଏହି ଅନୁଷ୍ଠାନ ଆକ୍ଟିଂ, ଆଙ୍କରିଂ ଏବଂ ନ୍ୟୁଜ କାଷ୍ଟିଂ ଭଳି ବିଭିନ୍ନ ପାଠ୍ୟକ୍ରମରେ ଶିକ୍ଷା ଦେଇଆସୁଛି। ଏବେ  ଅନୁଷ୍ଠାନ ପକ୍ଷରୁ ସେପ୍ଟେମ୍ବର ୧୫ ତାରିଖରେ ଭୁବନେଶ୍ଵରରେ ଏକ ନୂଆ ଡ୍ରାମା ସ୍କୁଲ ଖୋଲିବାକୁ ଯାଉଛି।

କାନମାସ ସ୍କୁଲରେ ନାଟ୍ୟ ଶିକ୍ଷାର ବିଭିନ୍ନ ବିଷୟରେ ପାଠପଢ଼ା ସହ ଶିକ୍ଷାର୍ଥୀମାନଙ୍କୁ ଉତ୍ତମଧରଣ ପେସାଦାର ତାଲିମ ମଧ୍ୟ ଦିଆଯାଉଛି। ଏଠାରେ ନାସନାଲ ସ୍କୁଲ ଅଫ୍ ଡ୍ରାମା, ଫିଲ୍ମ ଆଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ ଭଳି ଦେଶର ବଡ଼ ବଡ଼ ଡ୍ରାମା ସ୍କୁଲର ପ୍ରୋଫେସନାଲ ତଥା ନାଟ୍ୟ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଇଥାନ୍ତି।

କାନମାସ ସ୍କୁଲ ପକ୍ଷରୁ ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂ ପାଠ୍ୟକ୍ରମରେ ଏକ ୬ ମାସିଆ ସାର୍ଟିଫିକେଟ୍ କୋର୍ସ ପ୍ରଦାନ କରାଯାଉଛି। ଅନୁଷ୍ଠାନରେ ବର୍ଷକୁ ଦୁଇଥର ଏହି କୋର୍ସରେ ଶିକ୍ଷା ଦିଆଯାଉଛି। ଶିକ୍ଷାର୍ଥୀମାନଙ୍କ ପାଇଁ ଏହାର କୋର୍ସ ଫି ୫ ହଜାର ଟଙ୍କା ରଖାଯାଇଛି।

ଭୁବନେଶ୍ଵରର ଖୋଲିବାକୁ ଥିବା କାନମାସର ଅନୁଷ୍ଠାନରେ ଏହି କୋର୍ସରେ ପ୍ରାରମ୍ଭିକ ଭାବେ ୩୦ ଜଣଙ୍କ ଆଶାୟୀଙ୍କ ପାଇଁ ନାମଲେଖା ହେବ। ଆଶାୟୀ ପ୍ରାର୍ଥୀଙ୍କ ଇଣ୍ଟରଭ୍ୟୁ କରାଯାଇ ସେମାନଙ୍କ ନାମଲେଖା କରାଯିବ।

“ଭାରତରେ ନାଟ୍ୟ ଶିକ୍ଷା ପାଇଁ ବହୁତ ଅନୁଷ୍ଠାନ ତଥା ଡ୍ରାମା ସ୍କୁଲ ରହିଛି। ହେଲେ ଓଡ଼ିଶାରେ ମାତ୍ର ହାତଗଣତି କେତେକ ଅନୁଷ୍ଠାନରେ ପେସାଦାର ନାଟ୍ୟ ଶିକ୍ଷା ଦିଆଯାଉଛି। ଯାହାଫଳରେ ଅନେକ ପ୍ରାର୍ଥୀ ନିଜର ଇଚ୍ଛା ସତ୍ତ୍ୱେ ନାଟ୍ୟ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଆମେ ‘କାନମାସ’ ପକ୍ଷରୁ ଓଡ଼ିଶାରେ ଏକ ଡ୍ରାମା ସ୍କୁଲ ଆରମ୍ଭ କରିଥିଲୁ। ଆକ୍ଟିଂ, ଆଙ୍କରିଂ, ନ୍ୟୁଜ କାଷ୍ଟିଂ ଭଳି କ୍ଷେତ୍ରରେ କ୍ୟାରିୟର କରିବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ଉପଯୁକ୍ତ ତାଲିମ ଦେବା ତଥା ଏହି କ୍ଷେତ୍ରରେ ପ୍ରୋଫେସନାଲମାନଙ୍କୁ ଗଢ଼ି ତୋଳିବା ଆମର ଲକ୍ଷ୍ୟ ରହିଛି”, କହିଛନ୍ତି କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସର ସମ୍ପାଦକ ଶ୍ରୀମନ ନାରାୟଣ ମିଶ୍ର।

ସେ ଆହୁରି ମଧ୍ୟ କହିଛନ୍ତି, “ନାଟକ କ୍ଷେତ୍ରରେ ପିଲାଦିନରୁ ଜଣଙ୍କ ପ୍ରତିଭା ଜଣା ପଡ଼ିଯାଇଥାଏ। ସେହିଭଳି ପିଲାଙ୍କୁ ଯଦି ଉତ୍ତମ ପ୍ରଶିକ୍ଷଣ ମିଳିବ ତେବେ ସେମାନଙ୍କ ପ୍ରତିଭା ଏକ ନୂଆ ପରିଚୟ ସୃଷ୍ଟି କରିବ। ଏଭଳି ଲକ୍ଷ୍ୟ ରଖି ଆମେ ଅନୁଷ୍ଠାନର ଶିକ୍ଷାର୍ଥୀମାନଙ୍କୁ ନାଟ୍ୟ ଶିକ୍ଷାର ପେସାଦର ତାଲିମ ଦେଇଥାଉ। ଏହାସହ ଅନୁଷ୍ଠାନ ପକ୍ଷରୁ ହେଉଥିବା ନାଟ୍ୟ ଉତ୍ସବ, ନାଟ୍ୟ କାର୍ମଶାଳା ଏବଂ ନାଟ୍ୟକାର ସମ୍ମିଳନୀରେ ଶିକ୍ଷାର୍ଥୀମାନେ ବହୁତ କିଛି ଶିଖିବାକୁ ସୁଯୋଗ ପାଇଥାନ୍ତି।”

‘କାନମାସ ସ୍କୁଲ ଅଫ ପରଫରମିଂ ଆର୍ଟ୍ସ’ ଓଡ଼ିଶାର ପ୍ରସିଦ୍ଧ ନାଟ୍ୟ ସଂସ୍ଥା ‘କାନମାସ’ ଦ୍ଵାରା ପରିଚାଳିତ ହେଉଛି। ରାଜ୍ୟ ତଥା ରାଜ୍ୟ ବାହାରେ ନାଟକ କ୍ଷେତ୍ରରେ ‘କାନମାସ’ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି।

୨୦୦୪ ମସିହାରୁ ପ୍ରତିବର୍ଷ ‘କାନମାସ’ ପକ୍ଷରୁ ପାରାଦୀପରେ ଜାତୀୟ ଥିଏଟର ଫେସ୍ଟିଭାଲର ଆୟୋଜନ କରାଯାଉଛି। ଏହାସହ ଦେଶ ବିଦେଶର ବିଭିନ୍ନ ନାଟ୍ୟ ଉତ୍ସବରେ ଏହି ସଂସ୍ଥାର କଳାକାରମାନେ ନିଜର ନାଟ୍ୟକଳା ପ୍ରଦର୍ଶନ କରି ଆସୁଛନ୍ତି। ନାଟକ କ୍ଷେତ୍ରରେ ନିଜର ପ୍ରଦର୍ଶନ ପାଇଁ ସଂସ୍ଥାକୁ ଅନେକ ପୁରସ୍କାର ମଧ୍ୟ ମିଳିଛି।

Tags: #CANMASSSchoolofPreformingArts #DramaSchool #Arts #Bhubaneswar #Odisha

LEAVE A REPLY

Please enter your comment!
Please enter your name here