ଓଡ଼ିଶାଲାଇଭ୍ ବ୍ୟୁରୋ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ରହିଥିବାରୁ ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବା ନେଇ ଓ୍ଵାର୍ଣ୍ଣିଂ ଜାରି କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ନେଇ ରେଡ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଲା ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡି। ଏହା ସହିତ ପ୍ରବଳ ବର୍ଷା ହେବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଢେଙ୍କାନାଳ, ଅନୁଗୁଳ, ବୌଦ୍ଧ, କଟକ, କନ୍ଧମାଳ ଏବଂ ନବରଙ୍ଗପୁର ଜିଲ୍ଲାକୁ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ନୟାଗଡ଼, ରାୟଗଡ଼ା ଏବଂ କୋରାପୁଟ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

ରେଡ ଏବଂ ଆରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ସହ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏସଆରସିଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଆସନ୍ତା ସେପ୍ଟେମ୍ବର ୧୫ରୁ ୧୬ ତାରିଖ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ନୂଆପଡ଼ା ଏବଂ ନବରଙ୍ଗପୁର ଜିଲ୍ଲାକୁ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଥିବାବେଳେ ସେପ୍ଟେମ୍ବର ୧୮ ତାରିଖ ପାଇଁ କୌଣସି ଆକଳନ କରାଯାଇଛି।

ସେହିପରି ସେପ୍ଟେମ୍ବର ୧୮ରୁ ୧୯ ତାରିଖ ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ ନବରଙ୍ଗପୁର ଏବଂ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର।

Tags: #Weather #weatherupdates #rainfallwarning #heavyrainfall #odisha

Comment