ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଏହି ଆବେଦନ କରାଯାଇଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନହେବା ଯୋଗୁଁ କ’ଣ କ୍ଷତି ହେଉଛି ତାହା ଆବେଦନରେ ଉଲ୍ଲେଖ କରାଯାଇଛି।

ଏବିଭିପି ପକ୍ଷରୁ କରାଯାଇଥିବା ଏହି ମାମଲାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହାସହ ବେଙ୍ଗଲ ହାଇକୋର୍ଟ ଛାତ୍ର ସଂସଦ ନିର୍ବାଚନ କାହିଁକି ଜରୁରୀ ସେନେଇ ଦେଇଥିବା ରାୟ ଉପରେ ଦୃଷ୍ଟି ଦେବାକୁ ଆବେଦନରେ ଦର୍ଶାଯାଇଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ଲାଗି ପଦକ୍ଷେପ ନେବାକୁ ନିବେଦନ କରାଯାଇଛି।

“ଓଡ଼ିଶାରେ ୨୦୧୮ ମସିହାରୁ ଛାତ୍ର ସଂସଦ ନିର୍ବାଚନ ନହେବା ଛାତ୍ର ରାଜନୀତିକୁ ବହୁତ କ୍ଷତି ପହଞ୍ଚାଇଛି। ବର୍ତ୍ତମାନ ରାଜ୍ୟର ବିଭିନ୍ନ କ୍ୟାମ୍ପସରେ ପ୍ରାୟ ୨୦ ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ନିର୍ବାଚନ ନହେବା ଫଳରେ ସେମାନଙ୍କ ରାଜନୈତିକ ଦକ୍ଷତା ମଧ୍ୟ ପ୍ରଭାବିତ ହୋଇଛି। ଯଦି ଏ ବର୍ଷ ଛାତ୍ର ସଂସଦ ନିର୍ବାଚନ ନହୁଏ ତେବେ ଏବିଭିପି ନିଜ ଆନ୍ଦୋଳନକୁ ତୀବ୍ର କରିବ”, କହିଛନ୍ତି ଏବିଭିପି ରାଜ୍ୟ ସମ୍ପାଦକ ଅରିଜିତ ପଟ୍ଟନାୟକ।

ଶିକ୍ଷା ବର୍ଷ ୨୦୨୩-୨୪ ପାଇଁ ଓଡ଼ିଶା ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କୌଣସି ଉଲ୍ଲେଖ କରାଯାଇ ନାହିଁ। ଏହାକୁ ନେଇ ରାଜ୍ୟରେ ଏବେ ରାଜନୀତି ସରଗରମ ହୋଇଛି। ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ ପକ୍ଷରୁ ଏହାକୁ ବିରୋଧ କରାଯାଇଛି।

Tags: #StudentUnionElections #PIL #OdishaHighCourt #ABVP #Odisha

LEAVE A REPLY

Please enter your comment!
Please enter your name here