ଓଡ଼ିଶାଲାଇଭ୍ ବ୍ୟୁରୋ

ନାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ପ୍ରକାଶ ପାଇଛି ଶିକ୍ଷାବର୍ଷ ୨୦୨୪-୨୫ ପାଇଁ ପରୀକ୍ଷା କ୍ୟାଲେଣ୍ଡର। ସାରା ଭାରତରେ ଆସନ୍ତାବର୍ଷ ହେବାକୁଥିବା ବିଭିନ୍ନ ପ୍ରବେଶିକା ପରୀକ୍ଷାର ତାରିଖ ଏଥିରେ ଘୋଷଣା କରାଯାଇଛି।

ଏନଟିଏର କ୍ୟାଲେଣ୍ଡର ଅନୁସାରେ ଆସନ୍ତା ଶିକ୍ଷାବର୍ଷ ପାଇଁ ଜେଇଇ ମେନ୍ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଜେଇଇ ମେନ୍ ସେସନ୍-୧ ପରୀକ୍ଷା ୨୦୨୪ ଜାନୁଆରି ୨୪ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରି ୧ ତାରିଖ ଯାଏଁ ଚାଲିବ। ଏହାପରେ ଏପ୍ରିଲ ୧ ତାରିଖରୁ ୧୫ ତାରିଖ ଯାଏଁ ଜେଇଇ ମେନ୍ ସେସନ୍-୨ ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସଡ୍ ଟେଷ୍ଟ (ସିବିଟି) ମାଧ୍ୟମରେ ଏହି ପରୀକ୍ଷା ହେବ।

ସେହିପରି ସାରା ଦେଶରେ ମେଡିକାଲ ପାଠ୍ୟକ୍ରମ ପାଇଁ ହେଉଥିବା ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି ପରୀକ୍ଷା ୨୦୨୪ ମେ’ ୫ ତାରିଖରେ ଅନୁଷ୍ଠିତ ହେବ। ଓଏମଆର ସିଟରେ ଲିଖିତ ମାଧ୍ୟମରେ ଏହି ପରୀକ୍ଷା ହେବ। ଏହାର ରେଜଲ୍ଟ ଜୁନ୍ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ।

ଅନ୍ୟପଟେ ଦେଶର ଜାତୀୟ ବିଶ୍ଵବିଦ୍ୟାଳୟଗୁଡ଼ିକରେ ନାମଲେଖା ପାଇଁ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ପୋଷ୍ଟ ଗ୍ରାଜୁଏଟ୍ (ସିୟୁଇଟି-ପିଜି) ପରୀକ୍ଷା ୨୦୨୪ ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୨୮ ଯାଏଁ ଅନୁଷ୍ଠିତ ହେବ। ଏହାସହ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ – ଅଣ୍ଡର ଗ୍ରାଜୁଏଟ୍ (ସିୟୁଇଟି-ୟୁଜି) ପରୀକ୍ଷା ୨୦୨୪ ମେ’ ୧୫ ତାରିଖରୁ ମେ’ ୩୧ ଯାଏଁ ହେବ।

ସେହିପରି ନାସନାଲ ଟେଷ୍ଟିଂ ଏଜେନ୍ସି ଦ୍ଵାରା ପରିଚାଳିତ ୟୁଜିସି ନେଟ୍ ପରୀକ୍ଷା ୨୦୨୪ ଜୁନ ୧୧ ତାରିଖରୁ ୨୧ ତାରିଖ ଯାଏଁ ଚାଲିବ। ଏନଟିଏ ପକ୍ଷରୁ ସିବିଟି ମୋଡରେ ହୋଇଥିବା ସବୁ ପରୀକ୍ଷାର ରେଜଲ୍ଟ ପରୀକ୍ଷା ସରିବାର ୩ ସପ୍ତାହ ମଧ୍ୟରେ ଘୋଷଣା କରାଯିବ।

ଆସନ୍ତା ବର୍ଷ ବିଭିନ୍ନ ପ୍ରବେଶିକା ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ନାସନାଲ ଟେଷ୍ଟିଂ ଏଜେନ୍ସିର ୱେବସାଇଟରେ ପରୀକ୍ଷାଗୁଡ଼ିକ ବାବଦରେ ଅନ୍ୟାନ୍ୟ ସୂଚନା ପାଇପାରିବେ।

Tags: #NationalTestingAgency #ExamCalendar #JEE #NEET #CUET #EntranceExams #India

LEAVE A REPLY

Please enter your comment!
Please enter your name here