ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପାରାଦୀପରେ ଗୁରୁବାର ଆରମ୍ଭ ହୋଇଛି ଉପକୂଳ ସୁରକ୍ଷା ସମରାଭ୍ୟାସ ‘ସାଗର କବଚ-୨’। ଓଡ଼ିଶା ଓ ପଶ୍ଚିମବଙ୍ଗର ୪୮୨ କିଲୋମିଟର ଉପକୂଳରରେ ଦୁଇ ଦିନ ଧରି ଏହି ସମରାଭ୍ୟାସ ଚାଲିବ। ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଏହାର ଆୟୋଜନ କରାଯାଉଛି।

‘ସାଗର କବଚ-୨’ ସମରାଭ୍ୟାସରେ ଉଭୟ ରାଜ୍ୟ ଓ କେନ୍ଦ୍ରର ୧୮ଟି ବିଭାଗ ସାମିଲ ହୋଇଛନ୍ତି। ଏଥିରେ କୋଷ୍ଟଗାର୍ଡ, ଇମିଗ୍ରେସନ, ଇଣ୍ଟେଲିଜେନ୍ସ, ଓଡ଼ିଶା ମେରାଇନ ପୋଲିସ, ଅଗ୍ନିଶମ ବିଭାଗ ଏବଂ ପାରାଦୀପ ବନ୍ଦର କଷ୍ଟମ୍ସ ଭଳି ବିଭିନ୍ନ ବିଭାଗ ଭାଗ ନେଉଛନ୍ତି।

ଜଳପଥ ଦେଇ ସ୍ଥଳଭାଗକୁ କିଭଳି ଶତ୍ରୁର ପ୍ରବେଶକୁ ରୋକାଯାଇପାରିବ ତାହାକୁ ନେଇ ଏଠାରେ ଜୋରଦାର ଅଭ୍ୟାସ କରାଯାଉଛି। ଏଥିରେ ଉପକୂଳ ସହ ସମୁଦ୍ରରେ ପ୍ରହରା ଦିଆଯିବା ସହ ଅନ୍ୟାନ୍ୟ ସୁରକ୍ଷା ଡ୍ରିଲ କରାଯାଉଛି।

‘ସାଗର କବଚ-୨’ ସମରାଭ୍ୟାସରେ ଅଂଶଗ୍ରହଣକାରୀଙ୍କୁ ନେଇ ‘ରେଡ୍’ ଓ ‘ବ୍ଲୁ’ ଦୁଇଟି ଟିମ୍ ଗଠନ କରାଯାଇଛି। ରେଡ୍ ଟିମ୍ ସମୁଦ୍ର ପଥ ଦେଇ ସ୍ଥଳଭାଗର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପ୍ରବେଶ କରିବାକୁ ଚେଷ୍ଟା କରିବ। ଏହି ସମୟରେ ବ୍ଲୁ ଟିମ୍ ସେମାନଙ୍କୁ ଧରିବାକୁ ପ୍ରୟାସ କରିବ।

୨୦୦୮ ମସିହା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ଉପକୂଳ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଏଥିପାଇଁ ଅନେକ ସମୟରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ସହରରେ ଏହିଭଳି ସମରାଭ୍ୟାସ କରାଯାଉଛି।

Tags: #SagarKavach-2 #CoastalSecurityExercise #Paradip #Odisha

Comment