ଓଡ଼ିଶାଲାଇଭ୍ ବ୍ୟୁରୋ

ଫେରିଯିବ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ। ଏଥିପାଇଁ ପାଗ ଅନୁକୂଳ ହୋଇଛି। ସେପ୍ଟେମ୍ବର ୨୫ରୁ ପଶ୍ଚିମ ରାଜସ୍ଥାନରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ। ମୌସୁମୀ ଫେରିଲାବେଳେ ଅକ୍ଟୋବର ମାସରେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ସେପ୍ଟେମ୍ବର ଶେଷ ସପ୍ତାହ ବେଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା କ୍ରମେ ଲଘୁଚାପରେ ପରିଣତ ହୋଇ ଅବପାତର ରୂପ ନେବାର ସମ୍ଭାବନା ରହିଛି। ମୌସୁମୀ ପ୍ରତ୍ୟାବର୍ତ୍ତନ ସମୟରେ ଲଘୁଚାପ ହେଲେ ଓଡ଼ିଶାରେ ବର୍ଷାର ପରିମାଣ ଅନେକ ମାତ୍ରାରେ ବଢ଼ିବାର ସମ୍ଭାବନା ରହିଛି।

ସେହିପରି ଓଡ଼ିଶାରେ ଗତ ୨୪ ଘଣ୍ଟାରେ ହାରାହାରି ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ରାଜ୍ୟର ସର୍ବାଧିକ ୬୮ ମିଲିମିଟର ବର୍ଷ ହୋଇଛି। ଶନିବାର ଓଡ଼ିଶାରେ ବର୍ଷା ପାଇଁ ୧୬ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଅନ୍ୟପଟେ ଅକ୍ଟୋବର ପ୍ରଥମ ସପ୍ତାହରେ ଓଡ଼ିଶାରେ ବାତ୍ୟା ନେଇ ଏବେ ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ସଂସ୍ଥା ଆକଳନ କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏହାକୁ ଖଣ୍ଡନ କରିଛନ୍ତି। ତେବେ ସେହି ସମୟରେ ରାଜ୍ୟରେ ଅବପାତଜନିତ ବର୍ଷା ହେବା ନେଇ ସେ କହିଥିଲେ।

Tags: #Monsoon2023 #Rain #Weather #Odisha #IMD #MCBBSR

 

Comment