ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ କୁମାର ଜେନାଙ୍କ ଅଡ଼ୁଆ ବଢ଼ିଛି। ପ୍ରତାପ ଜେନାଙ୍କ ନାଁରେ ମାମଲା ଚାଲୁ ରଖିବାକୁ ନିର୍ଦେଶ ଦେଇଛନ୍ତି ସାଲେପୁର ଜେଏମଏଫସି କୋର୍ଟ।

ମାହାଙ୍ଗା ଡବଲ ମର୍ଡର ଘଟଣାରେ ହତ୍ୟା ଷଡ଼ଯନ୍ତ୍ର ଏବଂ ଧମକ ଆଦି ଦେଇଥିବା ଦଫାରେ ମାମଲା ସହ ଏହି ମାମଲାକୁ ଧର୍ତ୍ତବ୍ୟ ଅପରାଧ ଭାବେ ଚାଲୁ ରଖିବାକୁ କୋର୍ଟଙ୍କ ନିର୍ଦେଶ ରହିଛି।

ପ୍ରତାପ କୁମାର ଜେନା ବିଧାୟକ ହୋଇଥିବାରୁ ଏହି ମାମଲାକୁ ଭୁବନେଶ୍ଵର ସ୍ଵତନ୍ତ୍ର କୋର୍ଟକୁ ସ୍ଥାନାନ୍ତର କରାଯାଇଛି।

ମାହାଙ୍ଗା ଡବଲ ମର୍ଡର ମାଲାରେ ଏତଲାକାରୀ ରମାକାନ୍ତ ବରାଳଙ୍କର ଗତ ୨୦୨୨ ଡିସେମ୍ବର ୯ ତାରିଖରେ ଭୁବନେଶ୍ଵରର ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ପରେ ମୃତ ରମାକାନ୍ତଙ୍କ ଭାଇ ରଞ୍ଜନ ବରାଳ ପ୍ରୋଟେଷ୍ଟ ପିଟିସନ ଦାଖଲ ଲାଗି ସାଲେପୁର ଜେଏମଏଫସି କୋର୍ଟଙ୍କ ଅନୁମତି ଲୋଡ଼ିଥିଲେ। କୋର୍ଟ ଏଥିପାଇଁ ଅନୁମତି ଦେଇଥିଲେ।

ଗତ ୨୦୨୧ ଜାନୁଆରି ୨ ତାରିଖ ରାତିରେ ଘଟିଥିଲା ମାହାଙ୍ଗା ଡବଲ ମର୍ଡର ଘଟଣା। ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ବରାଳଙ୍କ ମୃତ୍ୟୁ ହୋଇଥିଲା। ଅଭିଯୋଗକାରୀ ରମାକାନ୍ତ ବରାଳ ୧୩ ଜଣଙ୍କ ନାମରେ ଅଭିଯୋଗ ଆଣିଥିଲେ।

ଅଭିଯୁକ୍ତଙ୍କ ମଧ୍ୟରୁ ୯ ଜଣଙ୍କୁ ଗିରଫ କରାଯାଇଛି। ଏତଲା ଅନୁଯାୟୀ ୧୩ ନମ୍ବର ଅଭିଯୁକ୍ତ ହେଉଛନ୍ତି ପ୍ରତାପ କୁମାର ଜେନା।

Tags: #PratapKumarJena #MahangaDoubleMurderCase #JMFCCourt

Comment