ଭାସ୍କର ପରିଚ୍ଛା  

ବିଗତ କିଛି ବର୍ଷ ଧରି ସମଗ୍ର ଭାରତରେ ସଡ଼କ ଦୁର୍ଘଟଣାର ସଂଖ୍ୟା ବଢ଼ିଚାଲିଛି। ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ସହ ଓଡ଼ିଶା ଭଳି ରାଜ୍ୟରୁ ମଧ୍ୟ ପ୍ରତିଦିନ କିଛି ନା କିଛି ଦୁର୍ଘଟଣାର ଖବର ଆସୁଛି। ଏବେ ଏହା ସବୁଠାରୁ ଅଧିକ ଚିନ୍ତାର ବିଷୟ ସାଜିଛି।

ଆତଙ୍କବାଦୀ ଆକ୍ରମଣରେ ବର୍ଷକୁ ଯେତିକି ଲୋକଙ୍କ ମୃତ୍ୟୁ ହେଉନାହିଁ, ତା’ଠାରୁ ଢେର ଅଧିକ ଜୀବନ ନେଉଛି ଭାରତୀୟ ସଡ଼କ। ଭାରତର ରାସ୍ତା ସବୁ ଏବେ ମୃତ୍ୟୁର ରାଜପଥ ପାଲଟିଛି। ଏହା ଭାରତକୁ ଦୁନିଆର ଦୁର୍ଘଟଣା ହଟସ୍ପଟରେ ପରିଣତ କରିଛି।

ଭାରତ ବିଶ୍ୱର ପଞ୍ଚମ ଆର୍ଥିକ ଶକ୍ତି କିନ୍ତୁ ସଡ଼କ ସୁରକ୍ଷା ମାମଲାରେ ଦେଶର ରେକର୍ଡ୍ ଖରାପ। ଦୁନିଆର ସବୁଠାରୁ ଭୟଙ୍କର ଓ ଖରାପ ରାସ୍ତାର ଘର ହେଉଛି ଭାରତ। ଦେଶର ମାତ୍ର ୩ ପ୍ରତିଶତ ରାସ୍ତା ଜାତୀୟ ରାଜପଥ। ଅନ୍ୟପକ୍ଷରେ ଅଧିକାଂଶ ରାସ୍ତା ଦୁଇଲେନ୍ ବିଶିଷ୍ଟ। ଆମ ଦେଶର ରାସ୍ତା ନିଜ କ୍ଷମତାରୁ ଅଧିକ ବୋଝ ସହିଥାଏ। ଏହାସହ ଗାଡି ଓଭରଲୋଡିଂ ପ୍ରଭାବରେ ରାସ୍ତା ଶିଘ୍ର ଖରାପ ହୋଇଥାଏ।

ସଡ଼କ ଦୁର୍ଘଟଣାକୁ ନେଇ ବିଶ୍ଵ ବ୍ୟାଙ୍କ ରିପୋର୍ଟ

ଗତବର୍ଷ ବିଶ୍ୱବ୍ୟାଙ୍କର ସଡ଼କ ଦୁର୍ଘଟଣା ରିପୋର୍ଟ ଅନୁସାରେ ବିଶ୍ୱର ଦୁଇ ପ୍ରତିଶତ ଗାଡ଼ି ଭାରତୀୟ ରାସ୍ତାରେ ଦୌଡ଼ନ୍ତି। ହେଲେ ଦୁନିଆର ମୋଟ ଦୁର୍ଘଟଣାର ୧୨ ପ୍ରତିଶତ ଭାରତରେ ଘଟିଥାଏ। ଅର୍ଥାତ ବିଶ୍ୱରେ ଯଦି ବର୍ଷକୁ ୧୦୦ ଦୁର୍ଘଟଣା ହୁଏ ତେବେ ଭାରତରେ ତା’ ମଧ୍ୟରୁ ୧୨ଟି ଘଟିଥାଏ।

ଏହି ରିପୋର୍ଟ ଅନୁସାରେ ଭାରତରେ ଦିନକୁ ୫୦୦ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାନ୍ତି। ବର୍ଷକୁ ଏହି ସଂଖ୍ୟା ଦୁଇ ଲକ୍ଷରୁ ଅଧିକ। ଏହାଛଡ଼ା ପ୍ରତିବର୍ଷ ସାଢ଼େ ୭ ଲକ୍ଷରୁ ଅଧିକ ଲୋକ ସଡ଼କ ଦୁର୍ଘଟଣାରେ ଆହତ ବିକଳାଙ୍ଗ ହୋଇଯାଆନ୍ତି, ଯାହାକି ଉଦବେଗଜନକ।

ସଡ଼କ ଦୁର୍ଘଟଣା ଉପରେ ବିକଶିତ ଦେଶ ସହ ଭାରତର ତୁଳନା

ବିଶ୍ଵରେ ପ୍ରତିବର୍ଷ ଆମେରିକା ଓ ଜାପାନରେ ସବୁଠାରୁ ଅଧିକ ସଡ଼କ ଦୁର୍ଘଟଣା ହୋଇଥାଏ। ହେଲେ ସେଠାକାର ମୃତ୍ୟୁ ସଂଖ୍ୟା ଭାରତଠାରୁ କମ। ତାହାର କାରଣ ହେଉଛି ଦୁର୍ଘଟଣା ପରେ ସେଠାରେ ତୁରନ୍ତ ଚିକିତ୍ସା ସୁବିଧା ମିଳିଥାଏ।

ଆମେରିକାରେ ୨୦୧୬ ମସିହାରେ ୨୨ ଲକ୍ଷ ଦୁର୍ଘଟଣା ହୋଇଥିଲା। କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ୩୭ ହଜାର। ଅନ୍ୟପକ୍ଷରେ ଭାରତରେ ଏହି ସମୟରେ ୫ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଥିଲା କିନ୍ତୁ ମୃତ୍ୟୁ ସଂଖ୍ୟା ଥିଲା ଦେଢ଼ ଲକ୍ଷ। ଏହାର କାରଣ ହେଉଛି ଆମେରିକା ଭଳି ଦେଶରେ ଉଦ୍ଧାରକାରୀ ଦଳ ଓ ଆମ୍ବୁଲାନ୍ସ ଦୁର୍ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚିଥାନ୍ତି। ଅନ୍ୟପକ୍ଷରେ ଭାରତରେ ସେପରି ହୋଇନଥାଏ।

ସଡ଼କ ନିୟମର ଉଲଘଂନ ମଧ୍ୟ ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି

ଗତବର୍ଷ ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ସାଇରସ ମିସ୍ତ୍ରିଙ୍କ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଥିଲା। ମହାରାଷ୍ଟ୍ରର ପାଲଘରରେ ତାଙ୍କ ମର୍ସିଡିଜ କାରଟି ଭୁଲ ସାଇଡରେ ଓଭରଟେକ୍ କରିବା ଯୋଗୁଁ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା କାର ଭିତରେ ସାଇରସ୍ ଓ ପଛ ସିଟରେ ବସିଥିବା ତାଙ୍କ ବନ୍ଧୁ ଦିନଶା ପଣ୍ଡୋଲେ ସିଟବେଲ୍ଟ ପିନ୍ଧି ନଥିବାରୁ କାରର ଏୟାର ବ୍ୟାଗ ଖୋଲି ନଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିଲା।

ସାଇରସଙ୍କ କାର ଥିଲା ଗ୍ଲୋବାଲ ଏନକ୍ୟାପ ରେଟିଂର ଟପ୍ ରେଟେଡ୍ କାର। ତଥାପି ଦ୍ରୁତ ଗତି ଓ ରାସ୍ତା ନିୟମ ଉଲଂଘନ ଯୋଗୁଁ କାରଟି ଦୁର୍ଘଟଣାର ଶିକାର ହୋଇଥିଲା। ଭାରତରେ ରାସ୍ତାର ମାନ ଖରାପ ରହିଛି ସତ ହେଲେ ଲୋକମାନଙ୍କ ନିୟମକୁ ଅବହେଳା ମଧ୍ୟ ଦୁର୍ଘଟଣାକୁ ଡାକି ଆଣୁଛି। ହେଲମେଟ୍ ନପିନ୍ଧିବା, ସିଟ ବେଲ୍ଟ ନ ବାନ୍ଧିବା ଭଳି ଛୋଟ ଛୋଟ ନିୟମକୁ ଲୋକମାନେ ପାଳନ କରୁନଥିବାରୁ ମଧ୍ୟ ଦେଶରେ ବହୁତ ମାତ୍ରାରେ ଦୁର୍ଘଟଣା ହଉଛି।

୨୦୧୧ ରୁ ୨୦୨୦ ମସିହା ଭିତରେ ଭାରତରେ ସଡ଼କ ଦୁର୍ଘଟଣାରେ ୧୩ ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ୫୦ ଲକ୍ଷ ଆହତ ହୋଇଛନ୍ତି। ସଡ଼କ ଦୁର୍ଘଟଣା କାରଣରୁ କେବଳ ଯେ ଅପମୃତ୍ୟୁ ସଂଖ୍ୟା ବଢିଛି ତା’ ନୁହେଁ। ଏହାର ଅର୍ଥନୀତି ଉପରେ ମଧ୍ୟ ବିପରିତ ପ୍ରଭାବ ପଡ଼ିଛି। ଭାରତରେ ସଡ଼କ ଦୁର୍ଘଟଣା ସାଙ୍ଘାତିକ ସ୍ଥିତିରେ ପହଞ୍ଚିଛି। ତେଣୁ ଏହାର ସମାଧାନ ହେବା ଦରକାର।

Tags: #RoadAccident #RoadMishap #IndianRoads #MotorVehicleRules #India

Comment