ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଦକ୍ଷିଣ-ପୂର୍ବ ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଛି। ଧୀରେ ଧୀରେ ଏହା ଉତ୍ତର ଭାରତରୁ ଫେରିବାରେ ଲାଗିଛି। ଏହା ପ୍ରଭାବରେ ଓଡ଼ିଶାରେ ମୌସୁମୀ ସକ୍ରିୟ ହୋଇ ଅଧିକ ବର୍ଷା ହେଉଛି। ମଙ୍ଗଳବାର ପ୍ରବଳ ବର୍ଷା ପାଇଁ ଓଡ଼ିଶାର ୫ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏନେଇ ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ମଧ୍ୟରେ ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼ ଓ ସୁନ୍ଦରଗଡ଼ ରହିଛି। ଏହି ସବୁ ଜିଲ୍ଲାରେ ମଙ୍ଗଳବାର ୧୨ରୁ ୨୦ ସେଣ୍ଟିମିଟର ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ସେହିପରି ରାଜ୍ୟର ଅନ୍ୟ ୧୦ଟି ଜିଲ୍ଲାରେ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୨୬.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସମ୍ବଲପୁରର ବାମରାରେ ୧୪୬.୨ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ହୋଇଛି। ସେହିପରି କେନ୍ଦୁଝରର ବଂଶପାଳରେ ୧୩୦.୨ ମିଲିମିଟର, ଆନନ୍ଦପୁରରେ ୧୨୬.୨ ମିଲିମିଟର, ଢେଙ୍କାନାଳର ଭୁବନରେ ୧୧୫ ମିଲିମିଟର, ଅନୁଗୁଳର ଆର କେ ନଗରରେ ୧୧୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଚଳିତ ବର୍ଷ ମୌସୁମୀର ପ୍ରତ୍ୟାବର୍ତ୍ତନ ଅଧିକ ସମୟ ପାଇଁ ଜାରି ରହିବ। ସାଧାରଣତଃ ସେପ୍ଟେମ୍ବର ୧୭ ତାରିଖରୁ ମୌସୁମୀ ଫେରିବା ଆରମ୍ଭ କରିଥାଏ, ହେଲେ ଚଳିତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ମୌସୁମୀ ରାଜସ୍ଥାନରୁ ଫେରିବା ଆରମ୍ଭ କରିଥିଲା। ମୌସୁମୀ ପ୍ରତ୍ୟାବର୍ତ୍ତନ ବିଳମ୍ବ ଯୋଗୁଁ ଓଡ଼ିଶାରେ ଏ ବର୍ଷ ବାତ୍ୟା ସମ୍ଭାବନା ନଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅନ୍ୟପଟେ ଅକ୍ଟୋବର ମାସର ପ୍ରଥମ ତିନି ଦିନରେ ଓଡ଼ିଶାରେ ୫୩.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହା ସ୍ଵାଭାବିକ ବର୍ଷା ୧୫.୯ ମିଲିମିଟର ତୁଳନାରେ ୨୩୮ ପ୍ରତିଶତ ଅଧିକ ରହିଛି। ତେବେ ଅକ୍ଟୋବର ୪ ତାରିଖ ପରେ ଆଉ ୭ ଦିନ ଯାଏଁ ରାଜ୍ୟରେ ବର୍ଷାର ଅଧିକ ସମ୍ଭାବନା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Tags: #Monsoon #Rain #LowPressure #Odisha #IMD #MCBBSR

Comment