ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି। ତୀସ୍ତା ନଦୀରେ ମଙ୍ଗଳବାର ରାତିରେ ହୋଇଥିବା ବନ୍ୟା ଯୋଗୁଁ ସିକ୍କିମର ସିଙ୍ଗତାମରେ ଭାରତୀୟ ସେନାର ୨୩ ଜଣ ଯବାନ ନିଖୋଜ ହୋଇଯାଇଛନ୍ତି। ଏହାସହ ବହୁ ସଂଖ୍ୟାରେ ଯାନବାହନ ଭାସିଯାଇଛି।

ସିକ୍କିମର ଲାଚେନ୍ ଘାଟିରେ ମଙ୍ଗଳବାର ପ୍ରବଳ ବର୍ଷା ଯୋଗୁଁ ତୀସ୍ତା ନଦୀରେ ଜଳସ୍ତର ଅଚାନକ ବଢ଼ିଯାଇଥିଲା। ଏଥିପାଇଁ ଉତ୍ତର ସିକ୍କିମର ଚୁଙ୍ଗଥାଙ୍ଗ୍‌ ଜଳଭଣ୍ଡାରର ସବୁ ଗେଟ ଖୋଲି ଦିଆଯାଇଥିଲା। ଫଳରେ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ସିଙ୍ଗତାମ୍‌ ନିକଟ ବରଦଙ୍ଗରେ କ୍ୟାମ୍ପ କରିଥିବା ଭାରତୀୟ ସେନାର ଯବାନମାନେ ବନ୍ୟା ପାଣିରେ ଫସି ଯାଇଥିଲେ।

ବନ୍ୟା ଯୋଗୁଁ କ୍ୟାମ୍ପରେ ଥିବା ୨୩ ଜଣ ଯବାନ ନିଖୋଜ ହୋଇଯାଇଥିବା ଭାରତୀୟ ସେନାର ଇଷ୍ଟର୍ଣ୍ଣ କମାଣ୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହାସହ ସେନାର ଅନେକ ଗାଡ଼ି କାଦୁଅରେ ପୋତି ହୋଇପଡ଼ିଥିବା କୁହାଯାଇଛି। ନିଖୋଜ ଯବାନଙ୍କୁ ଖୋଜିବା ପାଇଁ ଉଦ୍ଧାରକାରୀ ଦଳ ଅଭିଯାନ ଆରମ୍ଭ କରିଛନ୍ତି।

ଅନ୍ୟପଟେ ତୀସ୍ତା ନଦୀରେ ଆସିଥିବା ବନ୍ୟା ଯୋଗୁଁ ଦକ୍ଷିଣ ସିକ୍କିମର ଗ୍ୟାଙ୍ଗଟକ, ପାକୟଙ୍ଗ, ନାମଚି ଓ ମଙ୍ଗନ ଆଦି ଅଞ୍ଚଳରେ ବହୁତ କ୍ଷୟକ୍ଷତି ହୋଇଛି। ସେଠାରେ ଅନେକ ରାସ୍ତା ଓ ବ୍ରିଜ ଭାସିଯାଇଛି। ଏହାସହ ଅନେକ ଲୋକଙ୍କ ଘରେ ମଧ୍ୟ ବନ୍ୟା ଜଳ ପଶି ଯାଇଥିବା ଦେଖିବାକୁ ମିଳିଛି।  

ସିକ୍କିମର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ବୁଧବାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏବେ ବନ୍ୟା କମିଥିବା ବେଳେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। ଏହାସହ ତଳିଆ ଅଞ୍ଚଳରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି।

Tags: #Sikkim #Floods #HeavyRainfall #TeestaRiver #IndianArmyJawans #India

Comment