ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ସାର୍ଟିଫିକେଟ୍ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ବିଶ୍ୱବିଦ୍ୟାଳୟର ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀ ଏହି ପାଠ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଓଡ଼ିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଜାପାନୀ ଭାଷା ପାଠ୍ୟକ୍ରମ ଆରମ୍ଭ କରାଯାଇଛି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚଳିତ ଶିକ୍ଷବର୍ଷରେ ଜାପାନୀ ଭାଷା ପାଠ୍ୟକ୍ରମରେ ୬୦ ଜଣ ଛାତ୍ରଛାତ୍ରୀଙ୍କ ରହିବେ। ଏଥିପାଇଁ ଅକ୍ଟୋବର ୯ ତାରିଖରେ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ମାଧ୍ୟମରେ ନାମଲେଖା ହେବ। ଏଥିରେ ଛାତ୍ରଛାତ୍ରୀଙ୍କୁ ଦୁଇଟି ବିଭାଗରେ ବିଭକ୍ତ କରାଯିବ, ଯେଉଁଥିରେ ପ୍ରତ୍ୟେକରେ ୩୦ ଜଣ ଛାତ୍ରଛାତ୍ରୀ ରହିବେ।

“ସମଗ୍ର ବିଶ୍ଵରେ ଇଂରାଜୀ ଭଳି ଏବେ ଜାପାନୀ ଭାଷାର ମହତ୍ଵ ମଧ୍ୟ ବଢ଼ୁଛି। ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, କୃଷି ଓ ପଶୁପାଳନ ଆଦି କ୍ଷେତ୍ରରେ ଜାପାନ ଅନେକ ବିକଶିତ। ଜାପାନୀ ଭାଷା ଶିଖିବା ଦ୍ଵାରା ଭାରତର ଛାତ୍ରଛାତ୍ରୀମାନେ ଜାପାନର ଉନ୍ନତ ଜ୍ଞାନକୌଶଳକୁ ସହଜରେ ବୁଝିପାରିବେ। ଏହା ଭାରତର ବିକାଶରେ ମଧ୍ୟ ସହାୟକ ହେବ। ସେହିପରି ଭାରତ ଓ ଜାପାନ ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ମଧ୍ୟ ବଢ଼ିବ”, କହିଛନ୍ତି ପ୍ରଫେସର ଚକ୍ରଧର ତ୍ରିପାଠୀ।

ଏହି କାର୍ଯ୍ୟକ୍ରମରେ ନୂଆଦିଲ୍ଲୀସ୍ଥିତ ଜାପାନୀ ଫାଉଣ୍ଡେସନର ନିର୍ଦେଶକ ସାତୋ କୋଜି ସାମ୍ପ୍ରତିକ ପରିସ୍ଥିତିରେ ଜାପାନୀ ଭାଷା ଶିଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଥିବା ଉଜ୍ଜ୍ୱଳ ସୁଯୋଗ ଓ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ। ଜାପାନୀ ଭାଷା ଶିଖିବା ଦ୍ୱାରା ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ କିପରି ଭାବର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରାଯିବ ଏବଂ ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ପର୍ଯ୍ୟଟନ ଓ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇବ ତାହା ଉପରେ ସେ ବକ୍ତବ୍ୟ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭାରତରେ ଅବସ୍ଥାପିତ ଜାପାନର ରାଷ୍ଟ୍ରଦୂତଙ୍କ ପ୍ରତିନିଧି ହାକାମାତା ମାହୋ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବ ଏସୀୟ ଅଧ୍ୟୟନ ବିଭାଗର ପ୍ରଫେସର ନବୀନ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଏହାସହ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ବରିଷ୍ଠ ଅଧିକାରୀ, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।   

Tags: #CentralUniversityOdisha #JapaneseLanguageCourse #Education #Koraput #Odisha

LEAVE A REPLY

Please enter your comment!
Please enter your name here