ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ଆସିଥିବା ପ୍ରଳୟଙ୍କରୀ ବନ୍ୟାରେ ଭାସି ନିଖୋଜ ହୋଇଥିବା ଓଡ଼ିଆ ଯବାନ ସରୋଜ କୁମାର ଦାସ ସହିଦ ହୋଇଛନ୍ତି। ଭିଡିଓ କଲ୍‌ ଯୋଗେ ସହିଦ ସରୋଜ ଦାସଙ୍କ ମୃତଦେହ ଚିହ୍ନଟ କରିଛନ୍ତି ପରିବାର ଲୋକ। ଏହି ଖବର ଶୁଣିବା ପରେ କାନ୍ଦବୋବାଳିରେ ଫାଟି ପଡ଼ୁଛି ସହିଦଙ୍କ ଗାଁ ଦାଣ୍ଡ। ସମସ୍ତଙ୍କ ଆଖିରେ ଧାର ଧାର ଲୁହ।

ସିକ୍କିମରେ ଆସିଥିବା ଆକସ୍ମିକ ବନ୍ୟାରେ ମଙ୍ଗଳବାର ବିଳମ୍ବିତ ରାତିରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କେନ୍ଦୁଢ଼ିପର ଓଡ଼ିଆ ଯବାନ ସରୋଜ କୁମାର ଦାସ।

ପ୍ରଥମେ ନିଖୋଜ ଖବର ଶୁଣି କୋହ ସମ୍ଭାଳି ପରିନଥିଲେ ସରୋଜଙ୍କ ପରିବାର। ଗୁରୁବାର ଦିନ ସେ ସହିଦ ହେବା ଖବର ଆସିବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ଗାଁ। ଉଜୁଡ଼ି ଯାଇଛି ସହିଦଙ୍କ ସୁନାର ସଂସାର। କାନ୍ଥରୁ ବିବାହ ବେଳର ନାଁ ଲିଭିନାହିଁ, ଆଜି ଲିଭିଯାଇଛି ସହିଦ ସରୋଜଙ୍କ ପତ୍ନୀଙ୍କ ମଥାର ସିନ୍ଦୁର। ଜନ୍ମ ଦେଇଥିବା ବାପା ମା’ଙ୍କ ଛାତି ଫଟା କାନ୍ଦ ଦେଖି କୋହ ସମ୍ଭାଳି ପାରୁନାହାନ୍ତି ପରିବାର, ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ।

ମଙ୍ଗଳବାର ରାତି ୧୦ଟାରେ ଭାଇ ମନୋଜଙ୍କ ସହ ଫୋନରେ କଥା ହୋଇଥିଲେ ସରୋଜ। ପ୍ରବଳ ବର୍ଷା ହେଉଛି ଏବଂ ଟ୍ରେନିଂ ସାରି ଅନ୍ୟ ଯବାନମାନଙ୍କ ସହ ୟୁନିଟକୁ ଫେରିଥିବା କଥା ସେ ଭାଇକୁ କହିଥିଲେ। ବୁଧବାର ଦିନ ସରୋଜ ବନ୍ୟା ଜଳରେ ନିଖୋଜ ହୋଇଯାଇଥିବା ଖବର ଆସିଲା ଏବଂ ଗୁରୁବାର ଦିନ ସେ ସହିଦ ହୋଇଥିବା ଖବର ଆସିଛି।

ସରୋଜ କୁମାର ଦାସ ୨୦୧୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ପରିବାରରେ ସବୁଠୁ ସାନ ପୁଅ ହେଉଛନ୍ତି ସରୋଜ। ୨୦୨୩ ମସିହା ଫେବ୍ରୁଆରି ମାସରେ ତାଙ୍କର ବିବାହ ହୋଇଥିଲା।

Tags: #Sikkim #Floods #sahid #martyred #HeavyRainfall #TeestaRiver #IndianArmyJawans #India

LEAVE A REPLY

Please enter your comment!
Please enter your name here