ଓଡ଼ିଶାଲାଇଭ୍ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ, ଉଚ୍ଚଶିକ୍ଷା ବିଭାଗ ସଚିବ ଏବଂ ଗଣଶିକ୍ଷା ବିଭାଗ ସଚିବଙ୍କୁ ନୋଟିସ୍ କରିଛନ୍ତି ଓଡ଼ିଶା ହାଇକୋର୍ଟ। ସପ୍ତାହକ ମଧ୍ୟରେ ନୋଟିସର ଜବାବ ଦେବାକୁ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି।

କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ଵବିଦ୍ୟାଳୟ ଏବଂ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ ବୋଲି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ୨୦୨୩-୨୪ ଶିକ୍ଷାବର୍ଷ କ୍ୟାଲେଣ୍ଡରରୁ ଜଣାପଡ଼ିଥିଲା। ଏହାକୁ ତୀବ୍ର ବିରୋଧ କରିଥିଲେ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନ।

ଚଳିତ ବର୍ଷ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ କରାଇବା ଦାବିରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପକ୍ଷରୁ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ନହେବା ଯୋଗୁଁ କ’ଣ କ୍ଷତି ହେଉଛି ତାହା ଆବେଦନରେ ଉଲ୍ଲେଖ କରାଯାଇଥିଲା। ଏବିଭିପି ପକ୍ଷରୁ କରାଯାଇଥିବା ଏହି ମାମଲାରେ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ଛାତ୍ର ସଂସଦ ନିର୍ବାଚନ ପାଇଁ ନିର୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଛି ଏବିଭିପି। କୋର୍ଟ ଏବିଭିପିର ଅନୁରୋଧକୁ ଗ୍ରହଣ କରିଛନ୍ତି।

ବିଭିନ୍ନ କାରଣକୁ ନେଇ ଗତ ୨୦୧୮ ମସିହାଠାରୁ ୨୦୨୨ ମସିହା ପର୍ଯ୍ୟନ୍ତ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ।

Tags: #StudentUnionElections #PIL #OdishaHighCourt #ABVP #Odisha

LEAVE A REPLY

Please enter your comment!
Please enter your name here