ଓଡ଼ିଶାଲାଇଭ୍ ବ୍ୟୁରୋ

ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଦକ୍ଷିଣରେ ସକ୍ରିୟ ରହିଥିବା ଲଘୁଚାପର ପ୍ରଭାବ ଏବେ ଓଡ଼ିଶା ଉପରେ କମ ହେଉଛି। ଏଥିପାଇଁ ଗୁରୁବାରଠାରୁ ରାଜ୍ୟରେ ବର୍ଷାର ପରିମାଣ କମିବ। ଆସନ୍ତା ୭ ଦିନ ଯାଏଁ ଓଡ଼ିଶାରେ ବିଶେଷ ବର୍ଷା ହେବ ନାହିଁ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା ୭ ଦିନ ଯାଏଁ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଓଡ଼ିଶାର ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ମାତ୍ର ୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲାର ଟେନସାରେ ୩୨.୮ ମିଲିମିଟର ସହ ରାଜ୍ୟର ସର୍ବାଧିକ ବର୍ଷା ହୋଇଛି।

ସେହିପରି ଅକ୍ଟୋବର ମାସର ପ୍ରଥମ ୫ ଦିନରେ ଓଡ଼ିଶାରେ ୬୮.୭ ମିଲିମିଟର ବର୍ଷା ହୋଇଛି। ଯାହା ସ୍ଵାଭାବିକ ବର୍ଷାଠାରୁ ୧୫୨ ପ୍ରତିଶତ ଅଧିକ ରହିଛି। ମୌସୁମୀର ପ୍ରତ୍ୟାବର୍ତ୍ତନ ଜାରି ରହିଥିବାରୁ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ମୌସୁମୀ ଓଡ଼ିଶା ଦେଇ ଫେରିବାବେଳେ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।      

Tags: #Rain #Lowpressure #Monsoon #Odisha #IMD #MCBBSR    

Comment