ଓଡ଼ିଶାଲାଇଭ୍ ବ୍ୟୁରୋ

ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଆସିଥିବା ବନ୍ୟା ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଆକସ୍ମିକ ବନ୍ୟାରେ ଭାରତୀୟ ସେନାର ୨୩ ଜଣ ଯବାନ ଭାସିଯାଇ ନଖୋଜ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ମଧ୍ୟ ନଖୋଜ ଅଛନ୍ତି। ସେ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳର କେନ୍ଦୁଢ଼ିପ ଗାଁର ହାବିଲଦାର ସରୋଜ କୁମାର ଦାସ।

ମଙ୍ଗଳବାର ରାତି ୧୦ଟା ବେଳେ ସରୋଜ ନିଜ ପରିବାର ଲୋକଙ୍କ ସହ ଫୋନରେ କଥା ହୋଇଥିଲେ। ପ୍ରବଳ ବର୍ଷା ଯୋଗୁଁ ଗାଡ଼ିଗୁଡ଼ିକୁ ଆଗକୁ ଯାଇପାରୁ ନଥିବାରୁ ଯବାନମାନେ ଗାଡ଼ି ଭିତରେ ରହିଥିବା ପରିବାର ଲୋକଙ୍କୁ ସେ କହିଥିଲେ। ତେବେ ଏହାପରେ ତାଙ୍କ ସହ ଆଉ ଯୋଗାଯୋଗ ହୋଇ ନଥିଲା।

ସରୋଜ ନିଖୋଜ ଥିବା ପରିବାର ଲୋକେ ସେନା ପକ୍ଷରୁ ଜାଣିବାକୁ ପାଇଥିଲେ। ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା। ଏବେ ଯବାନମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ସେମାନଙ୍କ କିଛି ପତ୍ତା ମିଳୁନାହିଁ।

ସରୋଜ କୁମାର ଦାସ ୨୦୧୨ ମସିହାରେ ଭାରତୀୟ ସେନାରେ ନିଯୁକ୍ତ ହୋଇଥିଲେ। ପରିବାରରେ ସବୁଠୁ ସାନ ପୁଅ ହେଉଛନ୍ତି ସରୋଜ। ୨୦୨୩ ମସିହା ଫେବ୍ରୁଆରି ମାସରେ ତାଙ୍କର ବିବାହ ହୋଇଥିଲା। ଏବେ ସରୋଜଙ୍କ ସୁରକ୍ଷିତ ଭାବେ ଫେରିବା ପାଇଁ ପରିବାରର ସବୁ ଲୋକ ପ୍ରାର୍ଥନା କରୁଛନ୍ତି।        

ମଙ୍ଗଳବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ତୀସ୍ତା ନଦୀରେ ଜଳସ୍ତର ଅଚାନକ ବଢ଼ିଯିବାରୁ ସିକ୍କିମର ଚୁଙ୍ଗଥାଙ୍ଗ୍‌ ଜଳଭଣ୍ଡାରର ସବୁ ଗେଟ ଖୋଲି ଦିଆଯାଇଥିଲା। ଫଳରେ ତଳମୁଣ୍ଡର ଜଳସ୍ତର ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ବଢ଼ିଗଲା। ଏଥିପାଇଁ ସିଙ୍ଗତାମ୍‌ ନିକଟ ବରଦଙ୍ଗରେ କ୍ୟାମ୍ପ କରିଥିବା ଭାରତୀୟ ସେନାର ଯବାନମାନେ ବନ୍ୟା ପାଣିରେ ଫସି ଯାଇଥିଲେ।

ଭାରତୀୟ ସେନାର ଯବାନମାନେ ଗାଡ଼ି ଭିତରେ ଥିବାବେଳେ ପାଣି ସୁଅରେ ସେଗୁଡ଼ିକ ଭାସି ଯାଇଥିଲା। ଏହାସହ କିଛି ଗାଡ଼ି ପଙ୍କରେ ପୋତି ହୋଇଯାଇଥିଲା। ଯବାନମାନଙ୍କୁ ଖୋଜିବା ପାଇଁ ଏବେ ସେନା ପକ୍ଷରୁ ଉଦ୍ଧାର ଅଭିଯାନକୁ ଜୋରଦାର କରାଯାଇଛି।

ଅନ୍ୟପଟେ ଏହି ଆକସ୍ମିକ ବନ୍ୟା ଦକ୍ଷିଣ ସିକ୍କିମରେ ବହୁତ କ୍ଷୟକ୍ଷତି ଘଟାଇଛି। ଏ ଯାଏଁ ବନ୍ୟା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨୦ ଜଣ ଲୋକ ନିଖୋଜ ଥିବା ସୂଚନା ମିଳିଛି। ଏହାସହ ବନ୍ୟାରେ ଅନେକ ରାସ୍ତା ଓ ବ୍ରିଜ ଭାସି ଯାଇଥିବାରୁ ଅନେକ ଅଞ୍ଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏବେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଓ ଭାରତୀୟ ସେନା ନିୟୋଜିତ ହୋଇ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ପଠାଉଛନ୍ତି।        

Tags: #Sikkim #Floods #HeavyRainfall #TeestaRiver #IndianArmyJawans #India

Comment