ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରୁ ଫେରିଯିବ ମୌସୁମୀ। ଆଗାମୀ ୨ରୁ ୩ ଦିନ ମଧ୍ୟରେ ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଅପସାରଣ ପାଇଁ ପାଗ ଅନୁକୂଳ ରହିଛି। ଏହାପରେ ରାଜ୍ୟରେ ତାପମାତ୍ରା ସାମାନ୍ୟ ବଢ଼ିବା ସହ ପାଗ ଶୁଖିଲା ରହିବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଓଡ଼ିଶାକୁ ଏବେ ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ବଢିଥିବାବେଳେ ବାୟୁମଣ୍ଡଳରୁ କମୁଛି ଜଳୀୟବାଷ୍ପର ପରିମାଣ। ଏହାସହ ଉତ୍ତର ପଶ୍ଚିମ ଭାରତରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏଥିପାଇଁ ରାଜ୍ୟରୁ ମୌସୁମୀ ଫେରିଯିବା ପାଇଁ ପାଗ ଅନୁକୂଳ ହୋଇଛି।

ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହେବା ପରେ ରାଜ୍ୟରେ ବର୍ଷାର ପରିମାଣ କମିଛି। ତେବେ ଶନିବାର ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଛି।

ଚଳିତ ବର୍ଷ ଜୁନ ୨୨ ତାରିଖରେ ଓଡ଼ିଶା ଛୁଇଁଥିଲା ମୌସୁମୀ ବାୟୁ। ସାଧାରଣତଃ ମୌସୁମୀ ଓଡ଼ିଶାକୁ ଜୁନ ୧୫ ତାରିଖରେ ଆସି ସେପ୍ଟେମ୍ବର ୧୫ ତାରିଖରେ ଫେରିଥାଏ। ହେଲେ ଚଳିତବର୍ଷ ୭ ଦିନ ବିଳମ୍ବରେ ଆସିଥିଲେ ମଧ୍ୟ ୫ ଦିନ ପୂର୍ବରୁ ମୌସୁମୀ ଫେରିଯିବା ନେଇ ଆକଳନ କରାଯାଇଛି।

Tags: #Monsoon2023 #Rain #Weather #Odisha #IMD #MCBBSR

LEAVE A REPLY

Please enter your comment!
Please enter your name here