ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ି ହୋଇଛି ରାଜ୍ୟର ୫ଟି ନୂଆ ସହର। ସୋମବାର ଓଡ଼ିଶାର ମୟୂରଭଞ୍ଜର ରାଇରଙ୍ଗପୁର, ସୁନ୍ଦରଗଡ଼ର ବୀରମିତ୍ରପୁର ଓ ରାଜଗାଙ୍ଗପୁର, କେନ୍ଦୁଝରର ଚମ୍ପୁଆ ଏବଂ ପୁରୀ ଜିଲ୍ଲାର ନିମାପଡ଼ାରେ ୨୪ ଘଣ୍ଟିଆ ପାନୀୟ ଜଳ ଯୋଗାଣ ସେବାର ଶୁଭାରମ୍ଭ ହୋଇଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାର ୩ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଉଦଘାଟନ କରିଛନ୍ତି।

ଓଡ଼ିଶାର ୫ଟି ନୂଆ ସହର ସହ ଅନ୍ୟ ୧୩ଟି ସହରର ୧୪୯ଟି ୱାର୍ଡରେ ମଧ୍ୟ ସୋମବାର ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଜଳଯୋଗାଣ ସୁବିଧା ଆରମ୍ଭ କରାଯାଇଛି। ଏଥିରେ ବ୍ରହ୍ମପୁରର ୩୭ଟି, ଭୁବନେଶ୍ଵରର ୨୭ଟି, କଟକର ୨୧ଟି, ରାଉରକେଲାର ୨୦ଟି ୱାର୍ଡ ସାମିଲ ଅଛି।  

ସେହିପରି ରାଜ୍ୟର ଅନ୍ୟ ପୌରାଞ୍ଚଳ ମଧ୍ୟରେ ସୁନ୍ଦରଗଡ଼ର ୧୭ଟି, ବ୍ୟାସନଗରର ୬ଟି, ଖୋର୍ଦ୍ଧାର ୪ଟି, ଜଟଣୀର ୩ଟି, ହିଞ୍ଜିଳିକାଟୁର ୩ଟି, ବଡ଼ବିଲର ୨ଟି, ଯୋଡ଼ାର ୧ଟି, କେନ୍ଦୁଝର ଏବଂ  ଆନନ୍ଦପୁରର ୪ଟି ଲେଖାଏଁ ୱାର୍ଡ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନାରେ ଯୋଡ଼ି ହୋଇଛି।

ସୋମବାର ଆରମ୍ଭ ହୋଇଥିବା ଡ୍ରିଙ୍କ ଫ୍ରମ ଟ୍ୟାପ୍ ଜଳଯୋଗାଣ ସୁବିଧାରେ ରାଜ୍ୟ ୧୨ ଲକ୍ଷ ଲୋକେ ଉପକୃତ ହେବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି। ଏହି ସବୁ ସହରରେ ଯୋଜନାର ପରିଚାଳନା ପାଇଁ ଜଳ ସାଥି ଭାବେ ମିଶନ ଶକ୍ତି ଗୋଷ୍ଠୀର ମହିଳାମାନଙ୍କୁ ନିୟୋଜିତ କରାଯିବ।

ସୋମବାର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଉଷା ଦେବୀ, ସାମାଜିକ ସୁରକ୍ଷା ତଥା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି ମାଥିଭାତନନ, ୫-ଟି ସଚିନ ଭି କେ ପାଣ୍ଡିଆନ ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଯୋଗ ଦେଇଥିଲେ।         

ଓଡ଼ିଶାର ଲୋକଙ୍କୁ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ୨୦୨୦ ମସିହା ସେପ୍ଟେମ୍ବର ମାସରେ ଭୁବନେଶ୍ଵର ଓ ପୁରୀରେ ଡ୍ରିଙ୍କ ଫ୍ରମ ଟ୍ୟାପ୍ ଯୋଜନା ଆରମ୍ଭ କରାଯାଇଥିଲା। ଏହାପରେ ୨୦୨୧ରେ ପୁରୀ ଦେଶର ପ୍ରଥମ ଡ୍ରିଙ୍କ ଫ୍ରମ ଟ୍ୟାପ୍ ସହର ପାଲଟିଥିଲା। ଏବେ ସୁଦ୍ଧା ରାଜ୍ୟର ୨୪ଟି ସହରରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି।  

Tags: #DrinkFromTap #24HourWaterSupply #NaveenPatnaik #Odisha

Comment