ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଆରମ୍ଭ ହୋଇଛି ମିଶନ ଶକ୍ତି ସ୍କୁଟର ଯୋଜନା। ବୁଧବାର ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏଥିରେ ୧୫ ହଜାର ମିଶନ ଶକ୍ତି ଗୋଷ୍ଠୀ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି।

“ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଜିର ଦିନ ବହୁତ ଗୁରୁତ୍ଵପୂର୍ଣ୍ଣ। ଓଡ଼ିଶାର ଉନ୍ନତି ପାଇଁ ମିଶନ ଶକ୍ତି ମାଆମାନେ ଭଲ କାମ କରୁଛନ୍ତି। ଏବେ ସ୍କୁଟର ସେମାନଙ୍କ କାମକୁ ଆହୁରି ଗତି ଦେବ। ଏବେ ୧୫ ହଜାର ମହିଳାଙ୍କୁ ସ୍କୁଟର ଦିଆଯାଇଛି। ଆଗାମୀ ଦିନରେ ଆମେ ୨ ଲକ୍ଷ ସ୍କୁଟର ଯୋଗାଇବୁ”, କହିଛନ୍ତି ନବୀନ ପଟ୍ଟନାୟକ।

ଏହି ଯୋଜନା ଅନ୍ତର୍ଗତ ରାଜ୍ୟରେ ଥିବା ମିଶନ ଶକ୍ତି ବ୍ଲକ ଓ ପଞ୍ଚାୟତ ଫେଡେରେସନର ମହିଳାଙ୍କୁ ସ୍କୁଟର ଦିଆଯିବ। ଏଥିରେ ରାଜ୍ୟର ୩୩୮ଟି ବ୍ଲକ ଫେଡେରେସନ ସାମିଲ ଅଛନ୍ତି। ଏହି ଗାଡ଼ିଗୁଡ଼ିକୁ ମିଶନ ଶକ୍ତି ମହିଳାମାନେ ନିଜ ଗୋଷ୍ଠୀର ବିଭିନ୍ନ କାମରେ ବ୍ୟବହାର କରିବେ।

ସେହିପରି କାର୍ଯ୍ୟକ୍ରମରେ ପଞ୍ଚାୟତ ସ୍ତରରେ ମିଶନ ଶକ୍ତି ଅଫିସ କମ୍ପ୍ଲେକ୍ସ ଓ ମାର୍କେଟ ନିର୍ମାଣ ପାଇଁ ପ୍ରତି ପଞ୍ଚାୟତକୁ ୩୦ ଲକ୍ଷ ଲେଖାଏଁ ଟଙ୍କା ପ୍ରଦାନ କରାଯାଇଛି। ଏହାସହ ପ୍ରାୟ ୨.୫ ଲକ୍ଷ ମିଶନ ଶକ୍ତି ଗ୍ରୁପକୁ ୧୫୦ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଥିଲା।  

ଏହି କାର୍ଯ୍ୟକ୍ରମରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିନ ପ୍ରଦୀପ କୁମାର ଜେନା, ୫-ଟି ସଚିବ ଭି କେ ପଣ୍ଡିଆନ, ମିଶନ ଶକ୍ତି ବିଭାଗର କମିଶନର ତଥା ସଚିବ ସୁଜାତା କାର୍ତ୍ତିକେୟନ ପ୍ରମୁଖ ଯୋଗ ଦେଇଥିଲେ।

Tags: #MissionshaktiScooterScheme #MissionShaktiWomen #ScooterDistribution #WomenEmpowerment #Odisha

Comment