ସତୀଶ ଶର୍ମା

ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ଖେଳାଳିଙ୍କୁ ଗଢ଼ିଛନ୍ତି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ।

ଆଜିର ଯୁଗରେ ଯେତେବେଳେ ଅଧିକାଂଶ ଲୋକ ଅଳ୍ପ ପରିଶ୍ରମ କରି ଅନ୍ୟମାନଙ୍କ ଉପଲବ୍ଧିକୁ ନିଜର କହି ଶ୍ରେୟ ନେବାରୁ ପଛାଉନାହାନ୍ତି। ସେହି ସମୟରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜକୁ ମିଳିଥିବା ଶ୍ରେୟ ଅନ୍ୟମାନଙ୍କୁ ଦେବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏହିଭଳି ଜଣେ ବ୍ୟକ୍ତି ହେଲେ ହକି କୋଚ୍ ପ୍ରଦୀପ କୁମାର ଷଡ଼ଙ୍ଗୀ।

ସୁନ୍ଦରଗଡ଼ସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ଦ୍ଵାରା ପରିଚାଳିତ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରରେ ବରିଷ୍ଠ ହକି ପ୍ରଶିକ୍ଷକ ଭାବେ କାର୍ଯ୍ୟରତ ପ୍ରଦୀପ କୁମାର ଷଡ଼ଙ୍ଗୀ ଅନେକ ଦକ୍ଷ ହକି ଖେଳାଳିଙ୍କୁ ଗଢ଼ିଛନ୍ତି। ବିଗତ ୩୨ ବର୍ଷରୁ ତାଙ୍କ ତତ୍ତ୍ଵାବଧାନରେ ଅନେକ ହକି ଖେଳାଳି ପ୍ରଶିକ୍ଷଣ ନେଇ ଦେଶର ବିଭିନ୍ନ ଦଳରେ ଖେଳୁଛନ୍ତି।

ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କଠାରୁ ପ୍ରଶିକ୍ଷଣ ନେଇଥିବା ଦୀପଗ୍ରେସ ଏକ୍କା, ସୁନେଲିତା ଟୋପ୍ପୋ, ସୁଜାତା କୂଜୁର, ବିକାଶ ଟୋପ୍ପୋ, ରୋଶନ ମିଞ୍ଜ, ବେଲସାଜୋର ହୋରୋ, ମଞ୍ଜିତ କୁଲ୍ଲୁ, ସୁମନ ବେକଙ୍କ ଭଳି ଖେଳାଳି ଆଜି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ହକି ଖେଳି ରାଜ୍ୟ ପାଇଁ ଗୌରବ ଅଣିଛନ୍ତି।

ସେହିପରି ଅନ୍ୟ ଖେଳାଳିଙ୍କ ମଧ୍ୟରେ ବନମାଳୀ ଖେସ, ଦିନେଶ ଏକ୍କା, ପୂଜା ସାହୁ, ତନୁଜା ଟୋପ୍ପୋ, ନିଶା ଡାଡେଲ, କରୁଣା ମିଞ୍ଜ, ବିନିତା ମିଞ୍ଜ, ଦୀପିକା ବାରୱା ଓ ପୂଜା ମାଝୀ ଜାତୀୟ ପ୍ରଶିକ୍ଷଣ ଶିବିରରେ ସ୍ଥାନ ପାଇଛନ୍ତି। ଏହା ସହିତ ଭୁବନେଶ୍ୱର ଛାତ୍ରାବାସରେ ରହଣି କାଳରେ ଅସ୍ମିତା ବାର୍ଲା ଓ ରଶ୍ମିତା ମିଞ୍ଜଙ୍କ ଭଳି ଖେଳାଳି ମଧ୍ୟ ତାଙ୍କଠାରୁ ପ୍ରଶିକ୍ଷଣ ନେଇଛନ୍ତି।

ଏତେ ଖେଳାଳିଙ୍କୁ ଗଢ଼ିଥିଲେ ମଧ୍ୟ ଏହାର ସମ୍ପୂର୍ଣ ଶ୍ରେୟ ନେବାରୁ ପ୍ରଦୀପ କୁମାର ଷଡ଼ଙ୍ଗୀ ଦୁରେଇ ରହନ୍ତି। ସେ କହନ୍ତି, “ଗୋଟିଏ ଖେଳାଳିକୁ ତିଆରି କରିବା ପଛରେ ଅନେକ ଗୁରୁମାନଙ୍କ ଅବଦାନ ଥାଏ। ଜଣେ ପ୍ରତିଭାବାନ ଖେଳାଳୀ ବିଭିନ୍ନ ପର୍ଯ୍ୟାୟରେ ଅଲଗା ଅଲଗା କୋଚମାନଙ୍କଠାରୁ ପ୍ରଶିକ୍ଷଣ ନେଇ ପରିମାର୍ଜିତ ହୁଅନ୍ତି। ଖେଳାଳିର ଅନ୍ତର୍ଜାତୀୟ ସ୍ତରରେ ପହଁଚିବା ପାଇଁ ସବୁ ପ୍ରଶିକ୍ଷକଙ୍କ କିଛି ନା କିଛି ଭୂମିକା ଥାଏ।”

ପ୍ରଦୀପ କୁମାର ଷଡ଼ଙ୍ଗୀଙ୍କ ହକି କ୍ୟାରିୟର

ଢେଙ୍କାନାଳରେ ଜନ୍ମିତ ପ୍ରଦୀପ କୁମାର ଷଡ଼ଙ୍ଗୀ କେବଳ ହକି ପ୍ରଶିକ୍ଷଣର ଡିପ୍ଲୋମା କରି କୋଚ୍ ହୋଇ ନାହାନ୍ତି ବରଂ ଜଣେ ଜାତୀୟ ସ୍ତରର ଫରୱାର୍ଡ଼ ଖେଳାଳି ଭାବେ ନିଜେ ହାସଲ କରିଥିବା ଅଭିଜ୍ଞତାରୁ ଭଲ ପ୍ରଶିକ୍ଷକ ହୋଇପାରିଛନ୍ତି। ସ୍କୁଲ ଶିକ୍ଷା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ପାଠ ପଢ଼ିବା ମଧ୍ୟରେ ସେ ୧୯୮୧ରୁ ୧୯୮୬ ଯାଏଁ ୬ ବର୍ଷ ବିଶ୍ୱବିଦ୍ୟାଳୟର ହକି ଦଳରେ ସଦସ୍ୟ ଥିଲେ।

ସେ ୧୯୮୨ ମସିହାରେ ଓଡ଼ିଶା କନିଷ୍ଠ ହକି ଦଳରେ ସାମିଲ ହୋଇଥିଲେ। ଏହାସହ ୧୯୮୨ରୁ ୧୯୮୪ ଯାଏଁ ତିନି ବର୍ଷ ସେ ରାଜ୍ୟ ସିନିୟର ଦଳର ସଦସ୍ୟ ଭାବେ ଜାତୀୟ ହକି ପ୍ରତିଯୋଗିତାରେ ଖେଳିଛନ୍ତି।

ହକି କୋଚିଂରେ ପ୍ରବେଶ

ଜାତୀୟ ସ୍ତରରେ ହକି ଖେଳିସାରିବା ପରେ ପ୍ରଦୀପ କୁମାର ଷଡ଼ଙ୍ଗୀ ୧୯୯୧ ମସିହାରେ କୋଲକାତାର ରାଷ୍ଟ୍ରୀୟ କ୍ରୀଡ଼ା ସଂସ୍ଥାନରୁ (ଏନଆଇଏସ) ହକି କୋଚିଂରେ ଡିପ୍ଲୋମା ହାସିଲ କରି ଭାରତୀୟ କ୍ରୀଡ଼ା ପ୍ରାଧିକରଣରେ ଯୋଗ ଦେଇଥିଲେ। ମଣିପୁରର ଇମ୍ଫାଲରେ ତାଙ୍କର ପ୍ରଥମ ପୋଷ୍ଟିଂ ହୋଇଥିଲା।

ଏହାପରେ ସେ ଏ ଯାଏଁ ସୁନ୍ଦରଗଡ଼, ବରଗଡ଼, ଝାଡ଼ଖଣ୍ଡର ଗୁମଲା, କୋଲକାତା, କଟକ, ଭୁବନେଶ୍ୱରରେ ଭଳି ସ୍ଥାନରେ ହକି କୋଚ୍ ଭାବେ ଦାୟିତ୍ୱ ତୁଲାଇଛନ୍ତି। ନିଜ ହକି କୋଚିଂ କ୍ୟାରିୟରର ଅଧିକାଂଶ ସମୟ ସେ ସୁନ୍ଦରଗଡ଼ରେ ବିତାଇଛନ୍ତି।

ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସର କୋଚ୍ ସହ ଯେତେବେଳେ ତାଙ୍କୁ ରାଜ୍ୟ ଏବଂ ସାଇ ହକି ଦଳର କୋଚ୍ ଭାବେ ଦାୟିତ୍ଵ ଦିଆଯାଇଥିଲା, ସେତେବେଳେ ଦଳ ଅନେକ ସଫଳତା ହାସଲ କରିଥିଲା। ତାଙ୍କର ନେତୃତ୍ୱରେ ଓଡ଼ିଶା ଦଳ ଜାତୀୟ ସବଜୁନିୟର ପୁରୁଷ ହକିରେ ୨୦୧୦ରୁ ୨୦୧୩ ଯାଏଁ କ୍ରମାଗତ ଚାରି ବର୍ଷ ସ୍ଵର୍ଣ୍ଣ ପଦକ ଜିତିଛି।

ସେହିପରି ତାଙ୍କ ତତ୍ତ୍ଵାବଧାନରେ ଓଡ଼ିଶା ଦଳ ଜାତୀୟ ଜୁନିୟର ପୁରୁଷ ହକିରେ ୨୦୦୮ରେ ରାୟପୁରଠାରେ ବ୍ରୋଞ୍ଜ ଏବଂ ୨୦୧୩ରେ ଚେନ୍ନାଇଠାରେ ରୌପ୍ୟ ପଦକ ଜିତିଥିଲା। ଏହାବ୍ୟତୀତ ପ୍ରଦୀପ କୁମାର ଷଡ଼ଙ୍ଗୀ କୋଚ ଥିବା ସାଇ ମହିଳା ଦଳ ଆନ୍ତଃ ଏକାଡେମୀ ପ୍ରତିଯୋଗିତାରେ ୨୦୨୦ରେ ଭୁବନେଶ୍ୱରରେ ସ୍ଵର୍ଣ୍ଣ, ୨୦୨୧ରେ ମଧ୍ୟପ୍ରଦେଶର ଗ୍ଵାଲିୟରରେ ରୌପ୍ୟ ପଦକ ଏବଂ ୨୦୨୩ ଖେଲୋ ଇଣ୍ଡିଆ ଅଣ୍ଡର-୧୬ ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ଜିତିଛି।

ପ୍ରଦୀପ କୁମାର ଷଡ଼ଙ୍ଗୀ ସୁନ୍ଦରଗଡ଼ରେ ହକି ପ୍ରଶିକ୍ଷକ ଭାବେ ବିତାଇ ଥିବା ସମୟକୁ ନିଜର ସର୍ବଶ୍ରେଷ୍ଠ ସମୟ ବୋଲି ବିବେଚନା କରନ୍ତି। ସେ କହନ୍ତି, “ସୁନ୍ଦରଗଡ଼ ଜିଲ୍ଲା ହକି ପ୍ରତିଭାରେ ଭରପୂର ଅଛି। ଏଠାକାର ଖେଳାଳି ପ୍ରତିଭାବାନ ହେବା ସହ ଅତ୍ୟନ୍ତ ପରିଶ୍ରମୀ, ଶୃଙ୍ଖଳିତ। ସେମାନଙ୍କ ସବୁବେଳେ ଭଲ କରିବା ମନୋଭାବ ଯୋଗୁଁ ସେମାନଙ୍କୁ ପ୍ରଶିକ୍ଷଣ ଦେବାରେ ଆନନ୍ଦ ମିଳେ।”

ସେ ଆହୁରି ମଧ୍ୟ କହନ୍ତି, “ସୁନ୍ଦରଗଡ଼ର ଖେଳାଳିଙ୍କୁ ଅନ୍ୟ ରାଜ୍ୟରୁ ଆସିଥିବା କୋଚମାନେ ମଧ୍ୟ ପ୍ରଶିକ୍ଷଣ ଦେବାକୁ ଭଲ ପାଆନ୍ତି। ଏଠାକାର ଖେଳାଳିମାନେ ନିଜ କ୍ଷମତାକୁ ସଠିକ ଭାବରେ ବିନିଯୋଗ କଲେ ଆହୁରି ଅଧିକ ସଫଳତା ହାସିଲ କରିବାରେ ସମର୍ଥ ହେବେ।”

ପ୍ରଦୀପ କୁମାର ଷଡ଼ଙ୍ଗୀ ନିଜ ହକି ପ୍ରଶିକ୍ଷଣ ଏବଂ ଦକ୍ଷ ଖେଳାଳି ତିଆର କରିବା କ୍ଷେତ୍ରରେ ଅବଦାନ ପାଇଁ ଅନେକ ସ୍ଥାନରୁ ସମ୍ମାନିତ ହୋଇଛନ୍ତି। ନିକଟରେ ଜାତୀୟ କ୍ରୀଡ଼ା ଦିବସ ଅବସରରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟର ଶ୍ରେଷ୍ଠ କୋଚ୍ ଭାବେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରୁସ୍କାର ପ୍ରଦାନ କରିଥିଲେ।

Tags: #PradeepKumarSarangi #HockeyCoach #Hockey #Sports #Odisha

(ଲେଖକ ହେଉଛନ୍ତି ଜଣେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ। ମତାମତ ସମ୍ପୂର୍ଣ୍ଣ ନିଜସ୍ୱ।)

LEAVE A REPLY

Please enter your comment!
Please enter your name here