ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱର): ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଲୋକଙ୍କ ଦୁଆର ମୁହଁରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଉଛି। ଓମ୍ବାଡସି ପାଣ୍ଠି ସହାୟତାରେ ରାଜ୍ୟର ବିଭିନ୍ନ ଖଣି ପ୍ରଭାବିତ ଅଞ୍ଚଳରେ ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ଡ୍ରିଙ୍କ୍ ଫ୍ରମ ଟ୍ୟାପ ମିଶନ କାର୍ଯ୍ୟକାରୀ କରାଯାଉଛି।

କେନ୍ଦୁଝର, ସୁନ୍ଦରଗଡ଼, ମୟୂରଭଞ୍ଜ ଏବଂ ଯାଜପୁର ଜିଲ୍ଲା ସହିତ ଅନୁଗୋଳ ଜିଲ୍ଲାର ପାଲଲହଡ଼ା ବ୍ଲକର ବିଭିନ୍ନ ଅଞ୍ଚଳକୁ ପାଇପ୍ ଯୋଗେ ପିଇବା ପାଣି ଯୋଗାଇବା ପାଇଁ ମୋଟ ୩୦ଟି ପ୍ରକଳ୍ପ କରାଯାଉଛି। ସେଥିମଧ୍ୟରୁ ୫ଟି ପ୍ରକଳ୍ପ ଆଂଶିକ ଭାବେ କାର୍ଯ୍ୟକ୍ଷମ ହେବା ଫଳରେ ବର୍ତ୍ତମାନ ୨୦୪ଟି ଗାଁର ଲୋକେ ଘର ପାଖରେ ସୁବିଧାରେ ପାଣି ପାଇ ପାରୁଛନ୍ତି। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି।

‘‘ଆଗରୁ ପିଇବା ପାଣି ପାଇଁ ଆମେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲୁ। କିନ୍ତୁ ଏବେ ଘର ପାଖରେ ପାଇପ୍ ଯୋଗେ ସୁବିଧାରେ ପାଣି ମିଳିଯାଉଛି। ଏହାକୁ ଆମେ ପିଇବା ସହ ରୋଷେଇ କାମ ଆଦିରେ ବ୍ୟବହାର କରିପାରୁଛୁ’’, କହନ୍ତି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକର ବାସିନ୍ଦା କୈଳାସ ସାହୁ। ଏହି ବିଶେଷ ସୁବିଧା ପାଇଁ ସେ ଜିଲ୍ଲା ପ୍ରଶାସନ ଏବଂ ଓମ୍ବାଡସିକୁ କୃତଜ୍ଞତା ଜଣାଇଛନ୍ତି।

ବୃହତ୍ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳ ଦେଇ ବହି ଯାଉଥିବା ନଦୀ ଏବଂ ବିଭିନ୍ନ ଜଳ ଉତ୍ସ ନିକଟରେ ଇନଟେକ ୱେଲ କରାଯାଉଛି। ସେଠାରୁ ପମ୍ପ ଯୋଗେ ଓ୍ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବା ଜଳ ବିଶୋଧନ କେନ୍ଦ୍ରକୁ ପାଣି ଅଣାଯାଉଛି। ବିଶୋଧନ ପରେ ତାହାକୁ ବିଭିନ୍ନ ସ୍ଥାନରେ ନିର୍ମିତ ଓଭରହେଡ୍ ଟ୍ୟାଙ୍କକୁ ପଠାଯାଇ ସେଠାରୁ ଲୋକଙ୍କ ଦୁଆର ମୁହଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି।

ସେହିପରି ଓମ୍ବାଡସି ପାଣ୍ଠି ବିନିଯୋଗରେ ରାଜ୍ୟର ୧୪ଟି ସହରାଞ୍ଚଳରେ ଲୋକଙ୍କ ଘରେ ଘରେ ଟ୍ୟାପ ଯୋଗେ ପାନୀୟ ଜଳ ପହଞ୍ଚାଇବା ଲାଗି ପ୍ରକଳ୍ପ କରାଯାଉଛି। ଡ୍ରିଙ୍କ ଫ୍ରମ ଟ୍ୟାପ ମିଶନ ଅଧୀନରେ ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଜଳକୁ ବିଶୋଧନ କରାଯାଇ ଘରକୁ ଘର ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଏହି ପ୍ରକଳ୍ପ କରାଯାଉଛି।

ମୟୂରଭଞ୍ଜ ଜିଲ୍ଲାର ବାରିପଦା, ରାଇରଙ୍ଗପୁର, କରଞ୍ଜିଆ ଏବଂ ଉଦଳା ସହରରେ ଏହି ଡ୍ରିଙ୍କ ଫ୍ରମ ଟ୍ୟାପ୍ ପ୍ରକଳ୍ପ କରାଯାଉଛି। ସୁନ୍ଦରଗଡ଼ ଜିଲ୍ଲାରେ ରାଜଗାଙ୍ଗପୁର, ବୀରମିତ୍ରପୁର ଏବଂ ସୁନ୍ଦରଗଡ଼ ପୌରପାଳିକା ସହିତ ରାଉରକେଲା ମହାନଗର ନିଗମରେ ମଧ୍ୟ ଏହି ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯାଇଛି।

କେନ୍ଦୁଝର ଜିଲ୍ଲାରେ ଯୋଡ଼ା, ବଡ଼ବିଲ, ଆନନ୍ଦପୁର, ଚମ୍ପୁଆ ଏବଂ କେନ୍ଦୁଝର ସହରରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରାଯାଉଛି। ଯାଜପୁର ଜିଲ୍ଲାର ବ୍ୟାସନଗରଠାରେ ମଧ୍ୟ ଗୋଟିଏ ପ୍ରକଳ୍ପ କାର୍ଯ୍ୟ ଚାଲିଛି। ଡ୍ରିଙ୍କ ଫ୍ରମ ଟ୍ୟାପ୍ ଅଧୀନରେ ଏହି ସମସ୍ତ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧ ଲକ୍ଷ ୨୩ ହଜାରରୁ ଅଧିକ ପରିବାର ଉପକୃତ ହେବେ।

‘‘ଆଗରୁ ନିର୍ଦ୍ଧାରିତ ସମୟରେ ପାଣି ଆସୁଥିଲା। ଘରଠୁ ଦୂରକୁ ଯାଇ ପାଣି ଆଣିବାକୁ ପଡୁଥିଲା। କିନ୍ତୁ ଏବେ ଦୁଆର ମୁହଁରେ ପାଇପ୍ ଯୋଗେ ପାଣି ମିଳୁଛି। ବିଶୋଧନ ହୋଇ ପାଣି ଆସୁଥିବାରୁ ଆମେ ସିଧାସଳଖ ଏହାକୁ ବ୍ୟବହାର କରୁଛୁ। ଏଥିପାଇଁ ଆମେ ବହୁତ ଖୁସି’’, କହନ୍ତି ଚମ୍ପୁଆ ସହରର ବାସିନ୍ଦା ଲକ୍ଷ୍ମୀପ୍ରିୟା ମହାନ୍ତ।

ସେହିପରି ଯେଉଁ ସ୍ଥାନରେ ନଦୀ କିମ୍ବା କୌଣସି ଉପଯୁକ୍ତ ଜଳ ଉତ୍ସ ନାହିଁ ସେଠାରେ ମଧ୍ୟ ଭୂତଳ ଜଳ ଉତ୍ତୋଳନ ପ୍ରକଳ୍ପ କରି ଗୋଟିଏ କିମ୍ବା ଏକାଧିକ ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଏବଂ ବାରିପଦା ଡିଭିଜନରେ ଓମ୍ବାଡସି ପାଣ୍ଠି ସହାୟତାରେ ଏହିପରି ୬୯୦ଟି ପ୍ରକଳ୍ପ କରାଯାଉଛି।

ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଭୂତଳ ଜଳରେ ଖଣିଜ ଲବଣ ଅଂଶ ରହିଥାଏ। ତେଣୁ ଗ୍ରାମାଞ୍ଚଳଠୁ ନେଇ ସହରାଞ୍ଚଳ ଯାଏଁ ଲୋକେ ନଳକୂପ କିମ୍ବା ବୋରୱେଲରୁ ଯେଉଁ ପାଣି ସଂଗ୍ରହ କରନ୍ତି ତାହା ଅନେକ ସମୟରେ ପିଇବା ଉପଯୋଗୀ ହୋଇନଥାଏ। ତେଣୁ ଓମ୍ବାଡସି ସହାୟତାରେ ବିଭିନ୍ନ ଖଣି ପ୍ରଭାବିତ ଜିଲ୍ଲାରେ ଉଭୟ ଗାଁ ଓ ସହରାଞ୍ଚଳରେ ପାଇପ୍ ଯୋଗେ ପାନୀୟ ଜଳ ପହଞ୍ଚିବା ଫଳରେ ସ୍ଥାନୀୟ ଲୋକଙ୍କ ପାଣି ସମସ୍ୟା ଦୂର ହୋଇପାରୁଛି।

Tags: #ombadc #odisha #drinkingwatersupplyprojects #miningaffecteddistricts

Comment