ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦେଶକ ସ୍ଵରୂପ ନାୟକ। ଦୀର୍ଘଦିନ ଧରି ସେ କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଛି।

ତାଙ୍କ ବିୟୋଗ ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତ ସୃଷ୍ଟି କରିଛି। ସେ ଅନେକ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ସ୍ଵରୂପ ନାୟକ ଏକାଧାରରେ ଜଣେ ସଙ୍ଗୀତ ନିର୍ଦେଶକ, ଗାୟକ, ଅଭିନେତା ଏବଂ ଟେଲିଭିଜନ ବିଚାରକ ଥିଲେ।

ଓଡ଼ିଆ ଆଧୁନିକ ସଙ୍ଗୀତର ସ୍ରଷ୍ଟା ଭାବେ ସେ ବେଶ୍ ପରିଚିତ ଥିଲେ। ୧୯୮୪ ମସିହାରେ ‘ହୀରାନୀଳା’ ଚଳଚ୍ଚିତ୍ରରୁ ସେ ନିଜର ସଙ୍ଗୀତ ନିର୍ଦେଶନା ଯାତ୍ରା ଆରମ୍ଭ କରିଥିଲେ।

‘ସହର ଜୁଳୁଛି’, ‘ଲାଲ୍ ପାନ ବିବି’, ‘ଉଦଣ୍ଡି ସୀତା’, ‘ସିନ୍ଦରୁ ନୁହେଁ ଖେଳଘର’ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦେଶନା ଦେଇ ଭିନ୍ନ ପରିଚୟ ହାସଲ କରିଥିଲେ ସ୍ଵରୂପ ନାୟକ।

ସଙ୍ଗୀତ ନିର୍ଦେଶନା କ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ ସେ। ୧୯୬୨ ମସିହାରେ ‘ଜୟଦେବ’ ଚଳଚ୍ଚିତ୍ରରେ ତାଙ୍କୁ ଶିଶୁ କଳାକାର ଭାବେ ଦେଖିବାକୁ ମିଳିଥିଲା। ସ୍ଵରୂପ ନାୟକଙ୍କ ବିୟୋଗ ଖବରକୁ ସହଜେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପ୍ରିୟଜନ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

Tags: #SworupNayak #MusicDirector #PassesAway #odisha #OdiaCinema

Comment