ଓଡ଼ିଶାଲାଇଭ୍ ବ୍ୟୁରୋ

ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ କାର୍ଯ୍ୟ। ଆସନ୍ତା ୨୦୨୪ ନିର୍ବାଚନ ପୂର୍ବରୁ ଶେଷ ଥର ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାର ଦିନଠାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆସନ୍ତା ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଏଥିପାଇଁ ଆବେଦନ କରିପାରିବେ ଭୋଟର। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ।

ଆସନ୍ତା ୨୦୨୪ ଜାନୁଆରି ପହିଲା ସୁଦ୍ଧା ଯେଉଁମାନଙ୍କର ବୟସ ସୀମା ୧୮ ବର୍ଷ ହୋଇଥିବ ସେମାନଙ୍କର ନାମ ଭୋଟର ତାଲିକାରେ ରହିପାରିବ। ଅନଲାଇନ୍ ଓ ଅଫଲାଇନରେ ମାଧ୍ୟରେ ଆବେଦନ କରିହେବ। ଅଧିକ ସହାୟତା ପାଇଁ ୧୯୫୦ ନମ୍ବରକୁ କଲ୍ କରି ସୂଚନା ପାଇହେବ।

ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ଲକ, ତହସିଲ ଏବଂ ବୁଥ ସ୍ତରୀୟ ଅଧକାରୀଙ୍କ ନିକଟକୁ ବିଜ୍ଞପ୍ତି ଜାରି କରାଯାଇଛି।

୨୦୨୩ ଜାନୁଆରି ୫ ତାରିଖରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ ବୁଥ ସଂଖ୍ୟା ଥିଲା ୩୭, ୬୦୬ ଗୋଟି। ବର୍ତ୍ତମାନ ଏହି ବୁଥଗୁଡ଼ିକର ସଂଖ୍ୟା ବଢ଼ି ୩୭,୮୦୯ରେ ପହଞ୍ଚିଛି।

ଗତବର୍ଷ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ ୨୦୨୩ ଜାନୁଆରି ପହିଲା ସୁଦ୍ଧା ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୩ କୋଟି ୨୩ ଲକ୍ଷ ୫୨ ହଜାର ୧୧୯ ରହିଥିଲା। ଶେଷ ସଂଶୋଧନ ସୁଦ୍ଧା ରାଜ୍ୟର ଭୋଟର ସଂଖ୍ୟା ୩ ଲକ୍ଷ ୩ ହଜାର ୯୪ ବଢ଼ି ୩ କୋଟି ୨୬ ଲକ୍ଷ ୫୫ ହଜାର ୨୧୩ରେ ପହଞ୍ଚିଛି। ପୁରୁଷ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ସୋରଡ଼ା, ହିଞ୍ଜିଳି ଓ ଆସ୍କାରେ ସର୍ବାଧିକ ପୁରୁଷ ଓ ମହିଳା ଭୋଟରଙ୍କ ହାର ବଢ଼ିଛି।

ଭୋଟର ତାଲିକା ସଂଶୋଧନରେ ସହାୟତା ଲାଗି ସମସ୍ତ ରାଜନୈତିକ ଦଳଙ୍କୁ ଜଣେ ଜଣେ ବୁଥସ୍ତରୀୟ ଏଜେଣ୍ଟ ଦେବାକୁ କୁହାଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ଲାଗି୧୮ ଜଣ ଆଇଏଏସ୍‌ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। ଚଳିତ ଥର ପ୍ରାଚୀନ ଜନଜାତିଙ୍କ ଶତ ପ୍ରତିଶତ ନାମ ଭୋଟର ତାଲିକାରେ ପଞ୍ଜିକରଣ ପାଇଁ ନିର୍ବାଚନ କମିଶନ ନିର୍ଦେଶ ଦେଇଛନ୍ତି। ମହିଳା ଓ ଯୁବ ଭୋଟରଙ୍କୁ ତାଲିକାରେ ଯୋଡ଼ିବାକୁ ଅଧିକ ଗୁରୁତ୍ଵ ଦିଆଯାଇଛି।

ଚଳିତ ବର୍ଷର ସଂଶୋଧିତ ତାଲିକା ଅନୁଯାୟୀ ତୃତୀୟ ଲିଙ୍ଗୀ ଭୋଟରଙ୍କ ସଂଖ୍ୟା ୩,୨୨୪ରୁ ୩,୪୦୬କୁ ବୃଦ୍ଧି ପାଇଛି। ଆସନ୍ତା ସାଧାରଣ ନିର୍ବାଚନ ଲାଗି ଇଭିଏମ୍‌, ଭିଭିପିଏଟି ଆସି ସାରିଛି। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଇଭିଏମ୍‌, ଭିଭିପିଏଟି ଯାଞ୍ଚ ସରିଯାଇଛି। ଅନ୍ୟ ୨୦ଟି ଜିଲ୍ଲାରେ ଇଭିଏମ୍‌, ଭିଭିପିଏଟି ଯାଞ୍ଚ ନଭେମ୍ବର ପହିଲାରୁ ଆରମ୍ଭ ହୋଇ ୧୫ ତାରିଖ ସୁଦ୍ଧା ଶେଷ ହେବ। ଶାରୀରିକ ଅକ୍ଷମ ଭୋଟରମାନଙ୍କୁ ଗାଡ଼ି ପଠାଇ ଭୋଟ କେନ୍ଦ୍ରକୁ ଆଣିବା ଏବଂ ଛାଡ଼ିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

Tags: #VoterList #vote #election #odisha #voterlistrevising

Comment