ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁ ଶ୍ରୀଗଜନ୍ନାଥଙ୍କୁ ଦର୍ଶନ କରିଛନ୍ତି ରଘୁବର ଦାସ। ସୋମବାର ଦିନ ନିଜ ପରିବାର ସଦସ୍ୟଙ୍କ ସହ ସେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ଆଶୀର୍ବାଦ ନେଇଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ସେ ଶ୍ରୀମନ୍ଦିର ଯାଇଥିଲେ। ପ୍ରୋଟକଲ ଅନୁଯାୟୀ ତାଙ୍କୁ ଜେଡ୍ ପ୍ଲାସ ସୁରକ୍ଷା ପ୍ରଦାନ କରାଯାଇଛି।

ବଡ଼ଠାକୁରଙ୍କ ଦର୍ଶନ ସାରି ଫେରିବା ପରେ ସେ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ଓଡ଼ିଶାର ବିକାଶକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ରାଜଭବନର ଦ୍ୱାର ଗରିବ ଲୋକଙ୍କ ପାଇଁ ୨୪ ଘଣ୍ଟା ଖୋଲା ରହିବ। ମୁଁ ବହୁତ ଭାଗ୍ୟଶାଳୀ ଓଡ଼ିଶାର ଜନତାଙ୍କ ସେବା କରିବାର ସୌଭାଗ୍ୟ ପାଇଛି। ସବୁ ବର୍ଗର ଲୋକଙ୍କୁ ପ୍ରାଥମିକତା ଦିଆଯିବ। କେନ୍ଦ୍ର ଓ ରାଜ୍ୟର ଯୋଜନା ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚିବାର ଦାୟିତ୍ୱ ନେବି।”

ମଙ୍ଗଳବାର ଦିନ ରଘୁବର ଦାସ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ। ରଘୁବର ଦାସ ସୋମବାର ଦିନ ଟାଟାନଗରରୁ ଟ୍ରେନ ଯୋଗେ ପୁରୀଠାରେ ପହଞ୍ଚିଥିଲେ। ଏହା ପରେ ଦିନ ୧୧ଟା ସମୟରେ ଶ୍ରୀମନ୍ଦିରରେ ବଡ଼ଠାକୁରଙ୍କ ପୂଜାର୍ଚ୍ଚାନା କରିଥିଲେ।

ମଙ୍ଗଳବାର ସକାଳ ୮ଟା ୪୫ଟା ମିନିଟରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଦିନ ୧୧ଟା ୪୫ ମିନିଟରେ ରାଜଭବନଠାରେ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଶପଥଗ୍ରହଣ ଉତ୍ସବରେ ନୂତନ ରାଜ୍ୟପାଳଙ୍କ ସହ ପରିବାର ସଦସ୍ୟ ଏବଂ ସମ୍ପର୍କୀୟ ଉପସ୍ଥିତ ରହିବେ।

Tags: #NewgovernerofOdisha #RaghubarDas #visitpurishreemandir #odisha

Comment